ଲିଟର ପିଛା କେନ୍ଦ୍ର କମାଇଲା ୨ ଟଙ୍କା ୫୦ ପଇସା । ଜାଣନ୍ତୁ ଓଡିଶାର କେଉଁ ଅଞ୍ଚଳରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

42

କନକ ବ୍ୟୁରୋ : ଦୀର୍ଘଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ଏଥିରେ ବ୍ରେକ ଲଗାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ମାରିବାକୁ ଯାଉଥିବା ବେଳେ ଏଥିରେ ବ୍ରେକ ଲଗାଇଛନ୍ତି ମୋଦି ସରକାର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରି ଗାଡି ଚାଳକଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଯାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିଛି ।

ଗୁରବାର ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । କେନ୍ଦ୍ର ସରକାର ତୈଳ ଉପରୁ ଲିଟର ପିଛା ୧ ଟଙ୍କା ୫୦ ପଇସା କମାଇବାକୁ ନିଷ୍ପତି ନେଇଥିବା ବେଳେ ତୈଳ କମ୍ପାନି ଗୁଡିକ ଲିଟର ପିଛା ୧ ଟଙ୍କା କମାଇବାକୁ ରାଜି ହୋଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା କମାଇବାକୁ ଅପିଲ କରିଛନ୍ତି ଜେଟଲୀ । କେନ୍ଦ୍ର ସରକାରଙ୍କ ଅପିଲ ରାଜ୍ୟ ସରକାର ମାନିନେଲେ ଗ୍ରାହକ ମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଟଙ୍କା କମରେ ପାଇପାରିବେ ।

ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଅଧିକ ନେଉଥିବାରୁ ତୈଳ ଦର ହ୍ରାସ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ତୈଳ ଦର ହ୍ରାସ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଆଗକୁ ନିର୍ବାଚନ ଥିବାରୁ ତୈଳ ଦର ହ୍ରାସ କରାଯାଇଛି । କିନ୍ତୁ ଯେତେବେଳେ ଅର୍ନ୍ତଜାତୀୟ ବଜାରରେ ତୈଳ ଦର କମ ଥିଲା ସେତେବେଳେ ଗ୍ରାହକଙ୍କୁ ଏହାର ଫାଇଦା ମିଳିନଥିଲା । ସେତେବେଳେ ତେଲ କମ୍ପାନିକୁ ଏହାର ମୁନାଫା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବହୁତ ବିଳମ୍ବରେ ନିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଦର ହ୍ରାସ କରାଯିବା ଫଳରେ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିଛି । ପେଟ୍ରୋଲ ଓ ଡିଜେଲର ମହଙ୍ଗା ମାଡରୁ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଓଡିଶାର କିଛି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ନଜର ପକାନ୍ତୁ ।

ତୈଳ ଦର ୨ ଟଙ୍କା ୫୦ ପଇସା ହ୍ରାସ ପାଇବା ପରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୦.୨୨ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୭୮.୩୨ ଟଙ୍କା । ସେହିଭଳି ସିଲଭର ସିଟି କଟକରେ ମଧ୍ୟ ପେଟ୍ରୋଲ ଦର ୮୩.୦୨ ଥିବା ବେଳେ ଡିଜେଲ ଦର ୮୧.୧୯ ଟଙ୍କାକୁ ହ୍ରାସ ପାଇଛି । ରାଜ୍ୟର ଅନ୍ୟ ପ୍ରମୁଖ ସହର ଯେପରିକି ବାଲେଶ୍ୱରରେ ପେଟ୍ରୋଲ ୮୨.୮୨ ଟଙ୍କା ଓ ଡିଜେଲ ୮୧.୦୧ ଟଙ୍କା, ବ୍ରହ୍ମପୁରରେ ପେଟ୍ରୋଲ ୮୩.୭୪ ଓ ଡିଜେଲ ୮୧.୯୦ ଟଙ୍କା, ସମ୍ବଲପୁରରେ ୮୩.୩୦ ଟଙ୍କା ପେଟ୍ରୋଲ ଥିବା ବେଳେ ଡିଜେଲ ଦର ହ୍ରାସ ପାଇ ୮୧.୪୯ ଟଙ୍କାରେ ପହଞ୍ଚିଛି । ସେହିଭଳି ଉପାନ୍ତ ନବରଙ୍ଗପୁରରେ ପେଟ୍ରୋଲ ଦର ୮୬.୧୬ ଟଙ୍କା ଓ ଡିଜେଲ ୮୪.୩୫ ଟଙ୍କା ରହିଛି । ରାୟଗଡାରେ ମଧ୍ୟ ତୈଳ ଦର ହ୍ରାସ ପାଇବା ପରେ ପେଟ୍ରୋଲ ୮୫.୫୮ ଟଙ୍କାର ପହଞ୍ଚିଥିବା ବେଳେ ଡିଜେଲ ଦର ୮୩.୮୭ ଟଙ୍କା ରହିଛି ।