ହୁ ହୁ ବଢ଼ିବ ପେଟ୍ରୋଲ ଦର ! ଜାଣନ୍ତୁ କେତେ ଟଙ୍କା ବୃଦ୍ଧି ପାଇବ ପେଟ୍ରୋଲ ଓ ଡ଼ିଜେଲ ଦର , କଣ ରହିଛି ଏହା ପଛର କାରଣ

24

କନକ ବ୍ୟୁରୋ : ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦର । ଲିଟର ପିଛା ପ୍ରାୟ ୪ ଟଙ୍କା ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି । ଏଭଳି ସଙ୍କେତ ଦେଇଛନ୍ତି କେତେକ ବ୍ରୋକରେଜ୍ ଫାର୍ମ । କର୍ଣ୍ଣାଟକ ନିର୍ବାଚନ ପାଇଁ ତୈଳ ଦର ପ୍ରାୟ ୩ ସପ୍ତାହ ସ୍ଥିର ଥିବା କୁହାଯାଉଥିବା ବେଳେ ଏବେ ପୁଣି ଦରବୃଦ୍ଧିର ଆଶଙ୍କା ପ୍ରକାଶ ପାଇଛି ।ଏପଟେ ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରକୁ ଅଣାଯାଉନଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ୩ ସପ୍ତାହ ଧରି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ଥିବା କୁହାଯାଉଥିବା ବେଳେ ଏବେ ପୁଣି, ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବା ଦେଖିବାକୁ ମିଳୁଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମୁଥିବାରୁ ଏହି ଦର ବୃ୍ଦ୍ଧି ହେଉଛି । ତେବେ ଏହା ଖୁବ୍ ଶୀଘ୍ର ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ବ୍ରୋକରେଜ୍ ଫାର୍ମ-କୋଟାକ୍ ଇନଷ୍ଟିଚୁସନାଲ୍ ଇକ୍ୟୁଟିଜ୍ । ଯାହା ଗ୍ରାହକଙ୍କୁ ବିବ୍ରତ କରିଛି ।

ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ଦର ୭୪ଟଙ୍କା ୩୯ ପଇସା ଥିବା ବେଳେ ଡିଜେଲ୍ ଲିଟର ପ୍ରତି ଦର ରହିଛି ୭୧ଟଙ୍କା ୮୫ ପଇସା । ଯାହା ପ୍ରାୟ ଗତ ୫ବର୍ଷ ମଧ୍ୟରେ ସର୍ବାଧିକ ଦର । ଅଶୋଧିତ ତୈଳ ଦର ବର୍ତମାନ ବ୍ୟାରେଲ୍ ପିଛା ପ୍ରାୟ ୮୩ ଡଲାରରେ ପହଂଚିଥିବା ବେଳେ ଡଲାର ମୂଲ୍ୟ ୬୭ ଟଙ୍କାକୁ ଖସି ଯାଇଛି ।

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ୍ସାଇଜ୍ ଡ୍ୟୁଟି ଓ ଭାଟ୍ ବାବଦରେ ୧୨୦ ପ୍ରତିଶତରୁ ଅଧିକ ଟିକସ ନେଉଥିବା ବେଳେ ଏହାକୁ ୨୮ ପ୍ରତିଶତରେ ସୀମିତ ରଖିବାକୁ ଦାବି ହେଉଛି । ଜିଏସଟିରେ ରହିିଥିବା ସର୍ବାଧିକ ୨୮ ପ୍ରତିଶତ ଟିକସ ସହ କିଛି ସେସ୍ ଯୋଡ଼ି ତୈଳ ଦରକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଚିନ୍ତା କରାଯାଉଛି । ମାତ୍ର ଟିକସର ବୋଝରେ ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରବ ରହିଛନ୍ତି ।