ତୈଳ ଦର ବୃଦ୍ଧି ପ୍ରତିବାଦରେ ତାତିଲା କଂଗ୍ରେସ ! ଆସନ୍ତାକାଲି କଟକ-ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଚକ ବନ୍ଦ ଆନ୍ଦୋଳନ

48

କନକ ବ୍ୟୁରୋ : ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧି ଓ ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ତୈଳ ଦର ବୃଦ୍ଧି ରୋକିବାକୁ ନା କେନ୍ଦ୍ର ନା ରାଜ୍ୟ ସରକାର କିଛି ପଦକ୍ଷେପ ନେଉଛନ୍ତି। ଉଭୟେ ଉଦାସୀନ। ବରଂ ଟିକସ ଆଦାୟ କରିବାକୁ ପଛଉ ନାହାନ୍ତି। ପେଟ୍ରୋଲ୍, ଡିଜେଲ୍ ବ୍ୟବହାର କରୁଥିବା ଜନସାଧାରଣଙ୍କ ଦୁଃଖ କେହି ଶୁଣୁନାହାନ୍ତି। ଆଜି ଏଭଳି ଆକ୍ରମଣାତ୍ମକ ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି, ବିଜେପି ବିରୁଦ୍ଧରେ କେବଳ ଗର୍ଜିନାହାନ୍ତି, କଂଗ୍ରେସ ଚରମ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସୂଚନା ଦେଇଥିଲେ। ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦ ସ୍ୱରୂପ ଆସନ୍ତା ୪ ତାରିଖ(ସୋମବାର) ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ କଟକ, ଭୁବନେଶ୍ୱରରେ ‘ଚକବନ୍ଦ’ ଆହ୍ଵାନ ଦେଇଛନ୍ତି। ଏ ନେଇ ସେ ଯାନବାହନ ବ୍ୟବହାର କରୁଥିବା ଦ୍ୱୈତନଗରବାସୀଙ୍କ ସହଯୋଗ କାମନା କରିଛନ୍ତି। କଂଗ୍ରେସ ତରଫରୁ ଜନସାଧାରଣଙ୍କୁ ଅନୁରୋଧ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତି। ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧି ପ୍ରସଙ୍ଗର ଅବତାରଣା କରି ପିସିସି ସଭାପତି କହିଲେ, ଦର ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଆଖିଦୃଶିଆ ଉଦ୍ୟମ ଦେଖିବାକୁ ମିଳୁ ନାହିଁ। ଲୋକଙ୍କ କଟାଘା’ରେ ଚୂନ ଲଗାଇବା ପାଇଁ ଗୋଟିଏ ପଇସା କମିଲା। ଓଡ଼ିଶାବାସୀଙ୍କୁ ଦର ବୃଦ୍ଧିରୁ ଆଶ୍ୱସ୍ତି ଦେବା ପାଇଁ ରାଜ୍ୟ ସରକାର ଭାଟ୍ କମାଇ ପାରେନ୍ତ। କିନ୍ତୁ ସେଥିପାଇଁ ଆଦୌ ରାଜି ନୁହେଁ। ଏହାର ପ୍ରତିବାଦରେ ୪ ତାରିଖରେ ହେବାକୁ ଥିବା କଂଗ୍ରେସର ଚକ ବନ୍ଦ ପାଇଁ ନିବେଦନକୁ ଉଭୟ କଟକ ଓ ଭୁବନେଶ୍ୱର ବାସିନ୍ଦାମାନେ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ।ସେପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଜେଡି ଏହି ପ୍ରସଙ୍ଗରେ ପୂର୍ବରୁ ଆନ୍ଦୋଳନ କରୁଛି । ଏଭଳି ସ୍ଥିତିରେ କଂଗ୍ରେସର ପଦକ୍ଷେପ ସ୍ୱାଗତଯୋଗ୍ୟ ।