କନକ ବ୍ୟୁରୋ : ବଢ଼ିଚାଲିଛି ପେଟ୍ରୋଲ ଦର । କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ ୧୯ ଦିନ ପର୍ଯ୍ୟନ୍ତ ସ୍ଥିର ଥିବା ତେଲ ଦର ଏବେ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ସପ୍ତାହକ ଭିତରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ପାଖାପାଖି ଦେଢ଼ ଟଙ୍କା ବଢିସାରିଲାଣି । ଏପରି ଦରବୃଦ୍ଧି ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ବଢୁଥିବା ବେଳେ ଅନ୍ତର୍ଜାତୀୟ ବଜାର ଉପରକୁ ଦୋଷ ଠେଲିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୧୩ ତାରିଖ ଅର୍ଥାତ କର୍ଣ୍ଣାଟକ ନିର୍ବାଚନ ଦିନ ଭୁବନେଶ୍ୱରରେ ପେଟ୍ରୋଲ ଥିଲା ଲିଟର ପିଛା ୭୩ ଟଙ୍କା ୬୪ ପଇସା, ୨୦ ତାରିଖରେ ଏହା ବୃଦ୍ଧି ପାଇ ୭୫ ଟଙ୍କା ୬ ପଇସାରେ ପହଁଚିଛି । ଏହି ସମୟ ମଧ୍ୟରେ ଡିଜେଲ ୭୦ ଟଙ୍କା ୮୮ ପଇସାରୁ ବଢି ୭୨ଟଙ୍କା ୪୩ ପଇସାରେ ପହଁଚିଛି । ସେହିପରି କଟକରେ ପେଟ୍ରାଲ ଲିଟର ପିଛା ରହିଛି ୭୫ ଟଙ୍କା ୨୧ ପଇସା ଓ ଡିଜେଲ୍ ଲିଟର ପିଛା ରହିଛି ୭୨ ଟଙ୍କା ୫୬ । ବ୍ରହ୍ମପୁରରେ ପେଟ୍ରୋଲ ୭୫ ଟଙ୍କା ୯୧ ପଇସା, ଡିଜେଲ୍ ୭୩ ଟଙ୍କା ୨୭ ପଇସା, ସମ୍ବଲପୁରରେ ପେଟ୍ରୋଲ ୭୫ ଟଙ୍କା ୪୫ ପଇସା ଓ ଡିଜେଲ୍ ପହଁଚିଛି ୭୨ ଟଙ୍କା ୮୨ ପଇସାରେ । ରାଉରକେଲାରେ ପେଟ୍ରୋଲ ୭୫ ଟଙ୍କା ୧୬ ପଇସା, ଡିଜେଲ ୭୨ ଟଙ୍କା ୩୬ ପଇସା, ନୟାଗଡ଼ରେ ପେଟ୍ରୋଲ ୭୫ ଟଙ୍କା ୩୨ ପଇସା, ଡିଜେଲ ୭୨ ଟଙ୍କା ୪୫ ପଇସା ରହିଛି । ତେବେ ଜୟପୁରରେ ପେଟ୍ରୋଲ ପହଁଚି ଯାଇଛି ୭୮ ଟଙ୍କା ୪ ପଇସା, ଆଉ ଡିଜେଲ ପହଁଚିଛି ୭୫ ଟଙ୍କା ୪୦ ପଇସାରେ ।
ଦରବୃଦ୍ଧି ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ବଜାର ଉପରକୁ ଦୋଷ ଠେଲିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୦ ଡଲାରରୁ ଅଧିକ ସ୍ତରରେ ରହିଛି । ସେହିପରି ଡଲାର ତୁଳନାରେ ଟଂକାର ବିନିମୟ ମୂଲ୍ୟ ୬୮ ଟଂକା ଉପରେ ପହଁଚିଛି । ଏହି ଦୁଇ କାରଣରୁ ଅଶୋଧିତ ତେଲ ମହଂଗା ହେବାରେ ଲାଗିଛି । ଏହା ସାଂଗକୁ ବିଭିନ୍ନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସର ବୋଝ ଯୋଗୁଁ ଆକାଶଛୁଆଁ ହେଉଛି ତେଲ ଦର ।