ପୁଣି ହ୍ରାସ ପାଇଲା ତେଲ ଦର: ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର 

32

କନକ ବ୍ୟୁରୋ: କ୍ରମାଗତ ଚତୁର୍ଥ ଦିନ ପାଇଁ କମିଛି ତେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୯ ପଇସା କମିଛି  । ସରକାରୀ ତେଲ କମ୍ପାନୀଗୁଡିକ ଏନେଇ ଘୋଷଣା କରିଛନ୍ତି ।  ଏଥିଯୋଗୁଁ ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଲିଟର ପିଛା ପେଟ୍ରୋଲ ଦର ୭୭ଟଙ୍କା ଏବଂ ଡିଜେଲ ଦର ୭୪ଟଙ୍କା ୯ପଇସାକୁ ହ୍ରାସ ପାଇଛି । ଗତ ବୁଧବାରଠାରୁ ଆଇଓସିଏଲ ଲିଟର ପିଛା ପେଟ୍ରୋଲ ଦର ୨୩ ପଇସା ଏବଂ ଡିଜେଲ ଦର ୨୧ ପଇସା ହ୍ରାସ କରିଛି । ଗତ ୨୯ତାରିଖରେ ଲିଟର ପିଛା ପେଟ୍ରୋଲ ଦର ରେକର୍ଡ ୭୭ଟଙ୍କା ୨୩ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୩୦ ପଇସା ଛୁଇଁଥିଲା ।

ସରକାରୀ ତେଲ କମ୍ପାନି ଗୁଡ଼ିକ କର୍ଣ୍ଣାଟକ ନିର୍ବାଚନ ପରେ କ୍ରମାଗତ ଭାବେ ୧୬ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ଏହାକୁ ମହଙ୍ଗା କରି ଦେଇଛନ୍ତି । ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ସାଢ଼େ ତିନି ଟଙ୍କା ମହଙ୍ଗା କରିଦେବା ପରେ ଆଜିକୁ ମିଶାଇ ୪ ଦିନ ହେଲା ଏହାକୁ ଅଳ୍ପ କମାଇଛନ୍ତି । ଅନ୍ୟପକ୍ଷରେ ପେଟ୍ରୋଲ ଏବଂ ଡିଜେଲ ଦର ପରେ ଏବେ ରନ୍ଧନ ଗ୍ୟାସ୍ ଏବଂ ବିମାନ ଇନ୍ଧନ (ଏଟିଏଫ୍)ର ଦର ବୃଦ୍ଧି ପାଳି ପଡ଼ିଛି।

ସବସିଡିରେ ଗ୍ରାହକମାନଙ୍କୁ ବର୍ଷକୁ ମିଳୁଥିବା ଏଲପିଜି ଦର ସିଲିଣ୍ଡର ପିଛା ୨ ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଛି। ସବସିଡିରେ ମିଳୁଥିବା ରନ୍ଧନ ଗ୍ୟାସ (୧୪.୨ କିଗ୍ରା) ଦର ଦିଲ୍ଲୀରେ ପୂର୍ବରୁ ୪୯୧ ଟଙ୍କା ୨୧ ପଇସା ଥିବାବେଳେ ଏବେ ଏହା ୪୯୩ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏଲପିଜି ଦର ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ବଢ଼ିଯାଇଛି। ସେହିଭଳି ମୁମ୍ବାଇରେ ଏବେ ରନ୍ଧନ ଗ୍ୟାସ ଦର ୪୯୧ ଟଙ୍କା ୩୧ ପଇସାକୁ ଏବଂ କୋଲକାତାରେ ୪୯୬ ଟଙ୍କା ୬୫ ପଇସାକୁ ବୃଦ୍ଧି ଘଟିଛି। ଜଣେ ଗ୍ରାହକ ବର୍ଷକୁ ୧୨ଟି ରନ୍ଧନ ଗ୍ୟାସ ସବ୍ସିଡିରେ ପାଇ ପାରୁଛନ୍ତି। ଏହାଠାରୁ ଅଧିକ ରନ୍ଧନ ଗ୍ୟାସ କିଣିଲେ ସେଥିପାଇଁ ସେମାନଙ୍କୁ ବଜାର ଦର ଦେବାକୁ ପଡ଼ୁଛି। ବଜାର ଦରରେ ବିକ୍ରି ହେଉଥିବା ବା ବିନା ସବ୍ସିଡିରେ ପ୍ରଦାନ କରାଯାଉଥିବା ଏଲପିଜି ଦର ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁଁ ଅଣ ସବସିଡିରେ ମିଳୁଥିବା ଏଲପିଜି ଦର ୬୯୮ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଜାନୁଆରିଠାରୁ କ୍ରମାଗତଭାବେ ୫ ଥର ମୂଲ୍ୟ ହ୍ରାସ ପରେ ପ୍ରଥମ ଥର ପାଇଁ ଏହି ବୃଦ୍ଧି ଘଟିଛି।

ଗତ ଡିସେମ୍ବରରେ ଅଣ ସବସିଡିରେ ମିଳୁଥିବା ଏଲପିଜି ଦର ୭୪୭ ଟଙ୍କା ରହିଥିଲା। ପରବର୍ତ୍ତୀ ମାସ ଗୁଡ଼ିକରେ ଏଲପିଜି ଦର ହ୍ରାସ ଘଟି ମେ ମାସରେ ଏହା ୬୫୦ ଟଙ୍କା ୫୦ ପଇସା ରହିଥିଲା। ସେହିଭଳି ବିମାନ ଇନ୍ଧନ ଦର ବା ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୪୬୮୮ ଟଙ୍କା ବା ୭.୧୭ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ଦିଲ୍ଲୀରେ କିଲୋଲିଟର (୧୦୦୦ ଲିଟର) ପିଛା ଏଟିଏମ୍ ମୂଲ୍ୟ ୭୦,୦୨୮ ଟଙ୍କାରେ ପହଞ୍ଚି ଯାଇଛି। ଏହା ପୂର୍ବରୁ ଗତମାସ ୧ ତାରିଖରେ ମଧ୍ୟ ସରକାରୀ ତେଲ କମ୍ପାନି ଗୁଡ଼ିକ ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୩୮୯୦ ଟଙ୍କା (୬.୩ ପ୍ରତିଶତ) ବୃଦ୍ଧି କରିଥିଲେ। କ୍ରମାଗତ ଦୁଇ ମାସ ଧରି ବୃଦ୍ଧି କରିବା ଫଳରେ ବିମାନ ଇନ୍ଧନ ଦର ୨୦୧୪ ମେ ମାସଠାରୁ ସର୍ବାଧିକ ସ୍ତରରେ ପହଞ୍ଚି ଯାଇଛି। ଏଥିଯୋଗୁଁ ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହେବାର ଯଥେଷ୍ଟ ଆଶଙ୍କା ରହିଛି।