ତୈଳ ଦର ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ ! ଆସନ୍ତା ସପ୍ତାହରେ ୮୦ ଛୁଇଁପାରେ ପେଟ୍ରୋଲ ଦର

35

କନକ ବ୍ୟୁରୋ : ଗତ ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢ଼ିବାରେ ଲାଗିଛି । ସମ୍ପୂର୍ଣ୍ଣ ବେଲଗାମ ହୋଇଗଲାଣି । ଗତକାଲି ରାତିରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୭ ଟଙ୍କା ସ୍ତର ଟପିଯାଇଛି । ଏହା ସର୍ବକାଳୀନ ରେକର୍ଡ । ଯେଉଁ ହାରରେ ଦରବୃଦ୍ଧି ଘଟୁଛି, ଯଦି ସ୍ଥିତିରେ ପରିବର୍ତ୍ତନ ନ ଘଟେ, ଆସନ୍ତା ସପ୍ତାହରେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବରେ ଏବେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସାଧାରଣ ଖାଉଟିଙ୍କ ସ୍ଥିତି ବେହାଲ୍‌ । ଦର ଦାମ୍‌ କେବଳ ବଢିଛି ତା ନୁହେଁ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲିଗଲାଣି ।

ବେଳକୁ ବେଳ ସ୍ଥିତି ଗମ୍ଭୀର ଆଡକୁ ଗତି କରୁଥିଲେ ହେଁ, କାହିଁକି କେଜାଣି କେନ୍ଦ୍ର ସରକାର ଏ ପ୍ରସଙ୍ଗ ଉପରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି । ଅତ୍ୟନ୍ତ ବେଫିକର ଢଙ୍ଗରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ନେଉଥିବା ଲକ୍ଷ୍ୟ କରାଯାଉଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ କ୍ୟାବିନେଟ୍‌ ସହଯୋଗୀମାନେ କିଭଳି ଦର ହ୍ରାସ ପାଇବ ସେ ନେଇ ବିଚାର ବିମର୍ଶ ଚାଲିଛି ବୋଲି ଆଶା ଦେଖାଇଥିଲେ । ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ । ଏପରିକି ବୁଧବାର କ୍ୟାବିନେଟ୍‌ ବୈଠକରେ ଠୋସ୍‌ କିଛି ନିଷ୍ପତ୍ତି ହେବ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା । ମାତ୍ର ସେମିତି କିଛି ହେଲାନି । ବରଂ ନୂଆଦିଲ୍ଲୀରେ ରହି ସ୍ଥିତିର ସମାଧାନ ପାଇଁ ଉଦ୍ୟମ କରିବା ବଦଳରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଡେରା ପକାଇ ସରକାରର ଚତୁର୍ଥବର୍ଷ ପୂର୍ତ୍ତି ପାଳନରେ ବ୍ୟସ୍ତ । ଲାଗୁଛି ଯେମିତି ଲୋକଙ୍କ ଉପରେ ଦାଉ ସାଧୁଛନ୍ତି କେନ୍ଦ୍ର ସରକାର । ଲୋକଙ୍କ ଦୁର୍ଦଶା ସରକାରଙ୍କ ନଜରରେ ପଡୁନି ।

ପେଟ୍ରୋଲ୍‌ ଓ ଡିଜେଲ ଦରରେ ଅଧାରୁ ଅଧିକ ଭାଗ ହେଉଛି ଟିକସ । ଟିକସ ବୋଝ ସାମାନ୍ୟ କମ୍‌ ହୋଇଗଲେ ଲୋକଙ୍କୁ ଦର ବୃଦ୍ଧି କିଛି ଆଶ୍ୱସ୍ତି ମିଳିପାରନ୍ତା । ହେଲେ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଉପରେ ଦାୟିତ୍ୱ ଠେଲିଦେଇ ବସିଯାଇଛନ୍ତି । ଭାଟ୍‌ କମାଇବା ଲାଗି ଆଗ୍ରହ ଦେଖାଇନାହାନ୍ତି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ସାମାନ୍ୟ କମ୍‌ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ସ୍ଥାନୀୟ ବଜାରର ତେଲ ଦର ଉପରେ ଦେଖିବାକୁ ମିଳୁନାହିଁ । ଜିଏସ୍‌ଟି ପରିସରଭୁକ୍ତ କରିବା ପ୍ରସଙ୍ଗ ମଧ୍ୟ କେନ୍ଦ୍ର ସରକାରଙ୍କ କୋର୍ଟରେ ଲଟକି ରହିଛି ।

ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷର ନିଆଁ ବ୍ୟାପିଲାଣି । ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତାକାଲି ଠାରୁ ବିଜୁ ଜନତା ଦଳ ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଛି । ରାଜଭବନ ସମ୍ମୁଖରେ ଦଳୀୟ ନେତାମାନେ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପତ୍ର ପ୍ରଦାନ କରିବେ । ସେହିଭଳି ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଲାଗି ବିଜେଡି ଘୋଷଣା କରିଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଥାଉକି, ସୋମବାର ପାଇଁ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ୍‌ ମୂଲ୍ୟ ୭୭ ଟଙ୍କା ୭ ପଇସା ହୋଇଛି । ସେହିପରି ଡିଜେଲ ମୂଲ୍ୟ ୭୪ ଟଙ୍କା ୧୫ ପଇସା ହୋଇଯାଇଛି । ରବିବାର ତୁଳନାରେ ପେଟ୍ରୋଲ୍‌ ଦର ୧୫ ପଇସା ବଢ଼ିଥିବା ବେଳେ ଡିଜେଲ ମୂଲ୍ୟ ୧୨ ପଇସା ବଢ଼ିଛି । କେବଳ ଦିଲ୍ଳୀକୁ ଛାଡ଼ିଦେଲେ ଦେଶର ଅନ୍ୟ ୩ଟି ବଡ଼ ମେଟ୍ରୋରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରି ସାରିଲାଣି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୧୨ ପଇସା ଥିବା ବେଳେ କଲିକତାରେ ୮୦ ଟଙ୍କା ୭୬ ପଇସା, ମୁମ୍ବାଇରେ ୮୫ ଟଙ୍କା ୯୩ ଏବଂ ଚେନ୍ନାଇରେ ୮୧ ଟଙ୍କା ୧୧ ପଇସାରେ ପହଂଚିଲାଣି ।