ଚିନ୍ତା ବଢ଼ାଇଲାଣି ତେଲ ଦର : ଡିଜେଲ୍‌ ଦର ୬୩ ଟଙ୍କା ଟପିଲାଣି, ଜୁନ୍‌ ୧୬ ପରେ ବଢ଼ିଛି ୩ ଟଙ୍କା ୭୩ ପଇସା

64

କନକ ବ୍ୟୁରୋ: ତେଲ ଦର ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଲାଣି । ଗମନାଗମନ ଉପରେ ନିର୍ଭରଶୀଳ ଲୋକମାନଙ୍କ ପାଇଁ ପେଟ୍ରୋଲ୍ ଦର ବଡ଼ ସମସ୍ୟା ଭାବେ ଉଭା ହୋଇଛି । ପେଟ୍ରୋଲ୍ ଦର ବୃଦ୍ଧିକୁ ନେଇ ଲୋକମାନେ ବେଶ ଚିନ୍ତିତ ଥିବା ବେଳେ ଡିଜେଲ୍ ଦର ବୃଦ୍ଧି ବିଷୟରେ ସେମାନେ ଏତେଟା ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି । କିନ୍ତୁ ଲୋକମାନଙ୍କ ନିତିଦିନିଆ ଜୀବନଠାରୁ ଆରମ୍ଭ କରି ରାଜ୍ୟର ଅର୍ଥନୀତି ପର୍ଯ୍ୟନ୍ତ ବହୁତ କିଛିକୁ ପ୍ରଭାବିତ କରିବାର ଶକ୍ତି ଡିଜେଲ୍ ପାଖରେ ରହିଛି । ଡିଜେଲର ଲିଟର ପିଛା ଦର ୬୨ ଟଙ୍କା ଟପିଗଲାଣି । ପନିପରିବା, ଡାଲି, ଚାଉଳଠାରୁ ଆରମ୍ଭ କରି ଦେଶର ପ୍ରାୟ ସବୁ ସାମଗ୍ରୀ ଡିଜେଲ ଚାଳିତ ଗାଡ଼ିରେ ପରିବହନ କରାଯାଉଛି । ଡିଜେଲ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ ।

ପରିବହନ ଖର୍ଚ୍ଚ ବଢ଼ିଲେ ସାମଗ୍ରୀଗୁଡ଼ିକର ମୂଲ୍ୟ ମଧ୍ୟ ବଢ଼ିଯିବ । ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ମାଡ଼ କରିବ । ବସ୍, ଟ୍ରେନରେ ଯାତ୍ରା କରିବାଠାରୁ ଆରମ୍ଭ କରି ମାଛ ଆଦି ବହୁତ କିଛି ମହଙ୍ଗା ହୋଇଯିବ । ଚଳିତ ବର୍ଷ ଜୁନ୍ ୧୬ ପରଠାରୁ ପ୍ରତିଦିନ ତୈଳ ଦର ପରିବର୍ତ୍ତନ ହେବା ପରଠାରୁ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦରରେ ୩ ଟଙ୍କା ୭୩ ପଇସାର ବୃଦ୍ଧି ହୋଇଛି । ଜୁନ୍ ୧୬ରେ ଡିଜେଲ ଦର ୫୯ ଟଙ୍କା ୩୨ ପଇସା ଥିଲା ।

ଗତକାଲି (ଶୁକ୍ରବାର) ଡିଜେଲର ଲିଟର ପିଛା ଦର ୬୩ ଟଙ୍କା ୫ ପଇସାରେ ପହଞ୍ଚିଯାଇଛି । ଦେଶରେ ରେଳବାଇ, ଭାରତୀୟ ସେନା, ଆବାସିକ ବାସଗୃହ କମ୍ପ୍ଲେକ୍ସ ଏବଂ ଗାଡ଼ି ମଟରରେ ଅଧିକ ଡିଜେଲ୍ ବ୍ୟବହାର ହେଉଛି । ଡିଜେଲ ଦର ବୃଦ୍ଧି ଯୋଗୁଁ ଏହି ସମସ୍ତ ବର୍ଗ ପ୍ରଭାବିତ ହେବେ । ସେମାନଙ୍କ ଖର୍ଚ୍ଚ ପରିମାଣ ବଢ଼ିବ। ବାଣିଜ୍ୟିକ କାରବାର କରୁଥିବା ସଂସ୍ଥାଗୁଡ଼ିକ ଖର୍ଚ୍ଚ ବୃଦ୍ଧିର ମୁକାବିଲା କରିବା ପାଇଁ ସେମାନେ ଯୋଗାଇ ଦେଉଥିବା ଉତ୍ପାଦ ଏବଂ ସେବାର ଦର ବଢ଼ାଇବେ ।

ଏହା ହେଲେ ସାଧାରଣ ଲୋକମାନେ ସେହି ସବୁ ସେବା କିମ୍ବା ସାମଗ୍ରୀ ପାଇବାକୁ ଅଧିକ ଖର୍ଚ୍ଚ କରିବେ । ଆପାର୍ଟମେଣ୍ଟରେ ବାସ କରୁଥିବା ଲୋକମାନଙ୍କ ଖର୍ଚ୍ଚ ବଢ଼ିବ । ପ୍ରତି ଆପାର୍ଟମେଣ୍ଟରେ ବିଦ୍ୟୁତ ବ୍ୟାକ୍-ଅପ୍ ପ୍ରଦାନ କରିବା ପାଇଁ ଡିଜେଲ୍ ଜେନେରେଟର ରହିଛି । ଡିଜେଲ ଦର ବୃଦ୍ଧି ଯୋଗୁଁ ଏହି ସବୁ ଆପାର୍ଟମେଣ୍ଟର ବାସିନ୍ଦାମାନଙ୍କୁ ଅଧିକ ସୋସାଇଟି ଖର୍ଚ୍ଚ ଦେବାକୁ ପଡ଼ିବ । କେବଳ ଆପାର୍ଟମେଣ୍ଟ୍ ନୁହେଁ ସପିଙ୍ଗ୍ ମଲଗୁଡ଼ିକରେ ଥିବା ଦୋକାନୀମାନେ ମଧ୍ୟ ପ୍ରଭାବିତ ହେବେ । ସେମାନଙ୍କୁ ବିଦ୍ୟୁତ ବ୍ୟାକ୍-ଅପ୍ ଯୋଗାଇ ଦେଉଥିବା ସଂସ୍ଥା ଅଧିକ ଶୁଳ୍କ ଦାବି କରିବେ ।

ଡିଜେଲ ଯୋଗୁଁ ଏ ସବୁ ସମସ୍ୟା ହେବ

• ପନିପରିବା, ମାଛ, ଅଣ୍ଡା ମହଙ୍ଗା ହେବ

• ପରିବହନରେ ଅଧିକ ଖର୍ଚ ହେବ

• ଲୋକଙ୍କ ଗମନାଗମନ, ଯାତାୟାତ ଖର୍ଚ ବଢ଼ିବ

• ଆପାର୍ଟମେଣ୍ଟ୍ ବାସିନ୍ଦାଙ୍କ ଖର୍ଚ ବଢ଼ିବ

• ବସ୍, ଟ୍ରେନ୍, ଅଟୋ ଭଡ଼ା ବଢ଼ିବ

• ସପିଙ୍ଗ୍ ମଲ୍ର ଦୋକାନିଙ୍କ ଖର୍ଚ ବଢ଼ିବ

• ରିଜର୍ଭ ବ୍ୟାଙ୍କର ମୁଣ୍ଡବ୍ୟଥା ବଢ଼ିବ

ପେଟ୍ରୋଲ୍ ଦର ୬୯ ଟଙ୍କା ୩୦ ପଇସା

ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ଶୁକ୍ରବାର ୬୯ ଟଙ୍କା ୩୦ ପଇସା ହୋଇଛି । ପେଟ୍ରୋଲ୍ ଦର ବେଲଗାମ ହୋଇପଡ଼ିଥିବାରୁ ବାଇକ୍ ଏବଂ କାରରେ ଯାତାୟାତ କରୁଥିବା ଲୋକମାନଙ୍କ ଖର୍ଚ୍ଚ ବଢ଼ିଯାଇଛି । ପେଟ୍ରୋଲ୍ ଦର ଉପରେ ସରକାର ଆଦାୟ କରୁଥିବା ମୋଟା ଅଙ୍କର ଟିକସ ଯୋଗୁଁ ଦର ଏତେ ଉଚ୍ଚ ସ୍ତରରେ ରହିଛି । ଯଦି ପେଟ୍ରୋଲ୍ ଉପରୁ ଟିକସ ପ୍ରତ୍ୟାହାର କରାଯାଆନ୍ତା କିମ୍ବା କମ୍ କରାଯାଆନ୍ତା ତେବେ ଗ୍ରାହକମାନେ ଏହାକୁ ବହୁତ କମ୍ ମୂଲ୍ୟରେ ପାଇପାରନ୍ତେ । ମାତ୍ର କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ବି ରାଜସ୍ୱ ହରାଇବା ଭୟରେ ପେଟ୍ରୋଲ୍ ଉପରୁ ଟିକସ କମ୍ କରିବାକୁ ରାଜି ହେଉନାହାନ୍ତି । ଯାହାର ପରିମାଣ ସାଧାରଣ ଖାଉଟିମାନଙ୍କୁ ଭୋଗିବାକୁ ପଡ଼ୁଛି ।