ଆଗାମୀ ଦିନରେ ଆହୁରି ବଢ଼ିବ ପେଟ୍ରୋଲ୍‌, ଡିଜେଲ ଦର : ପ୍ରମୁଖ କାରଣ ହେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

41

କନକ ବ୍ୟୁରୋ : ଆଗାମୀ ଦିନରେ ପେଟ୍ରୋଲ୍‌, ଡିଜେଲ ଦର ଆହୁରି ବଢ଼ିବ । କାରଣ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୫୦ ଡଲାର ଭଳି ଉଚ୍ଚ ସ୍ତରକୁ ଚାଲିଯିବ । ଶେଷ ଥର ପାଇଁ ୨୦୦୮ରେ ଅଶୋଧିତ ତେଲ ଦର ଏହି ସ୍ତରରେ ଥିଲା । ବର୍ତ୍ତମାନ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୦ ଡଲାର ପାଖାପାଖି ରହିଛି । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆରମ୍ଭ କରିଥିବା ବାଣିଜ୍ୟ ଲଢ଼େଇ । ଆମେରିକା ଚାହୁଁନାହିଁ ଇରାନଠାରୁ କୌଣସି ଦେଶ ତେଲ କିଣନ୍ତୁ । ଏହା ଭାରତ ଓ ଚୀନ୍‌ ସମେତ ସବୁ ଦେଶକୁ ଧମକ ଦେଇଛି ଯେ ଯଦି ଇରାନ୍‌ ଠାରୁ ତେଲ କିଣିବ ତେବେ ବାଣିଜ୍ୟ କଟକଣା ଲାଗୁ କରାଯିବ ।

President Trump
source : www.nbcnews.com

ଏଭଳି ପରିସ୍ଥିତିରେ ଭାରତ ଭଳି ଦେଶକୁ ଓପେକ୍ ଠାରୁ ଅଧିକ ତେଲ କିଣିବାକୁ ପଡ଼ିବ । ଇରାନ୍‌ ତେଲ ବିକ୍ରି ନହେଲେ ଯୋଗାଣ କମିଯିବ ଯାହା ଦର ବଢ଼ାଇବାରେ ସହାୟକ ହେବ । ଅଶୋଧିତ ତେଲ ଦର ବୃଦ୍ଧି ଦ୍ୱିତୀୟ କାରଣ ହେଉଛି ତେଲ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଖର୍ଚ କାଟ କରୁଛନ୍ତି । ଋଣ ଅର୍ଥ ଶୁଝିବା ପାଇଁ ସମ୍ପତ୍ତି ବିକ୍ରି କରୁଛନ୍ତି । ନିଜର ନିବେଶକମାନଙ୍କୁ ସନ୍ତୁଷ୍ଟ କରିବାକୁ ଏହି କଂପାନିଗୁଡ଼ିକ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

ରୟାଲ୍‌ ଡଚ୍‌ ସେଲ୍‌ ଓ ବିପି ଭଳି ବଡ଼ କଂପାନି ଏଭଳି ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଦେଶରେ ପେଟ୍ରୋଲ୍‌ ଓ ଡିଜେଲର ଖୁଚୁରା ଦର ଦୁଇଟି ବିଷୟ ଉପରେ ମାତ୍ରାଧିକ ନିର୍ଭରଶୀଳ । ପ୍ରଥମଟି ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଓ ଦ୍ୱିତୀୟଟି ହେଉଛି ଡଲାର ମୂଲ୍ୟ । ଡଲାର ତୁଳନାରେ ଏବେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ପାଇଁ ରପ୍ତାନିକାରୀମାନଙ୍କୁ ୬୯ ଟଙ୍କା ଗଣିବାକୁ ପଡୁଛି । ଯଦି କଂପାନିଗୁଡ଼ିକ ଅଧିକ ଦାମ୍‌ରେ ଅଶୋଧିତ ତେଲ କିଣିବେ ତାହାର ପ୍ରତିଫଳନ ପେଟ୍ରୋଲ୍‌ ଓ ଡିଜେଲ୍‌ର ଖୁଚୁରା ଦର ଉପରେ ଦେଖିବାକୁ ମିଳିବ ।