ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ ! ଉତ୍ପାଦନ ଶୁଳ୍କ କମାଇବା ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦାବି

26

କନକ ବ୍ୟୁରୋ : ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ହେଉଛି। ଗତବର୍ଷର ଡିସେମ୍ବର ମଧ୍ୟ ଭାଗରୁ ଆରମ୍ଭ ହୋଇଥିବା ଏହି ଦର ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ । ଏହାର ପ୍ରଭାବରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ସର୍ବାଧିକ ୭୨ ଟଙ୍କା ୩୮ ପଇସା ହୋଇଗଲାଣି । ଡିଜେଲ ଦର ୬୩ ଟଙ୍କା ୨୦ ପଇସାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୦ ଟଙ୍କାରୁ ଅଧିକ ହୋଇଗଲାଣି । ମୋଦି ସରକାରଙ୍କ ଅମଳରେ ପେଟ୍ରୋଲ୍ ଏବଂ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ପେଟ୍ରୋଲ୍ ଏବଂ ଡିଜେଲ ମୂଲ୍ୟରେ ହେଉଥିବା ବୃଦ୍ଧି ଗ୍ରାହକଙ୍କ ସମେତ ପେଟ୍ରୋଲିୟମ୍ ମନ୍ତ୍ରଣାଳୟକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ଏହି ଦୁଇ ଇନ୍ଧନ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ନିକଟରେ ଦାବି କରାଯାଇଛି । ଉତ୍ପାଦନ ଶୁଳ୍କ କମାଇବା ପାଇଁ ବଜେଟ୍ରେ ବ୍ୟବସ୍ଥା କରିବାକୁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦାବି କରିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ହେଉଥିବା ବୃଦ୍ଧି ଯୋଗୁଁ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଏବଂ ଡିଜେଲ ମହଙ୍ଗା ହେବାରେ ଲାଗିଛି । ବ୍ରେଣ୍ଟ୍ କ୍ରୁଡର ବ୍ୟାରେଲ ପିଛା ଦର ୬୯.୪୧ ଡଲାରରେ ପହଞ୍ଚିଥିବା ବେଳେ ୟୁଏସ୍ କ୍ରୁଡ୍ର ମୂଲ୍ୟ ୬୩.୯୯ ଡଲାର ହୋଇଛି ।

ପଡ଼ୋଶୀ ରାଷ୍ଟ୍ରରେ ଦର କମ୍ – ମିଆଁମାରରେ ପେଟ୍ରୋଲ ଲିଟର ଦର ୩୯ ଟଙ୍କା ୬୦ ପଇସା ଥିବା ବେଳେ ଡିଜେଲ ଦର ୩୭ ଟଙ୍କା ୬୦ ପଇସା ରହିଛି । ଶ୍ରୀଲଙ୍କାରେ ପେଟ୍ରୋଲ ୪୯ ଟଙ୍କା ୫୦ ପଇସା ଏବଂ ଡିଜେଲ ୪୫ ଟଙ୍କା ୫୦ ପଇସାରେ ଉପଲବ୍ଧ ହେଉଛି । ପାକିସ୍ତାନରେ ପେଟ୍ରୋଲ୍ ମୂଲ୍ୟ ୪୭ ଟଙ୍କା ଏବଂ ଡିଜେଲ ମୂଲ୍ୟ ୫୧ ଟଙ୍କା ୮୦ ପଇସା ରହିଛି ।

ଟିକସ ନଥିଲେ ୩୫ ଟଙ୍କାରେ ମିଳନ୍ତା ପେଟ୍ରୋଲ୍- ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍ ଏବଂ ଡିଜେଲ ଉତ୍ପାଦନ କରାଯାଉଛି । ଏକ ବ୍ୟାରେଲ୍ ଅଶୋଧିତ ତୈଳ କିଣିବା ପାଇଁ ୪ ହଜାର ୪ ଶହ ୩୩ ଟଙ୍କା ୨୬ ପଇସା ଗଣିବାକୁ ପଡୁଛି । ଅର୍ଥାତ ଲିଟର ପିଛା ଅଶୋଧିତ ତୈଳର ମୂଲ୍ୟ ହେଉଛି ୨୮ ଟଙ୍କା। ଏଥିରେ ବିଶୋଧନ ଖର୍ଚ ଏବଂ ପରିବହନ ଖର୍ଚ ସାମିଲ କରାଯାଇଥାଏ । ପେଟ୍ରୋଲ୍ ପମ୍ପ୍ରେ ପହଞ୍ଚୁଥିବା ଲିଟର ପିଛା ପେଟ୍ରୋଲ୍ ମୂଲ୍ୟ ୩୫ ଟଙ୍କା ରହୁଛି । ଏହା ପରେ ସେଥିରେ ୧୯ ଟଙ୍କା ୪୮ ପଇସାର ଉତ୍ପାଦନ ଶୁଳ୍କ ସାମିଲ କରାଯାଉଛି । ଏହା ବାଦ ଏକ ଲିଟର ପେଟ୍ରୋଲ୍ରେ ରାଜ୍ୟ ସରକାରଙ୍କ ୧୬ ଟଙ୍କାର ଭାଟ୍ ମିଶୁଛି। ତା’ ବାଦ ପେଟ୍ରୋଲ୍ ପମ୍ପର ଡିଲର କମିସନ ମିଶୁଛି । ସାଧାରଣ ଲୋକମାନେ କିଣୁଥିବା ପେଟ୍ରୋଲ୍ ଦରରେ ଟିକସର ଭାଗ ୪୦-୫୦% ରହୁଛି । ଟିକସ ରାଜସ୍ୱ ହରାଇବା ଭୟରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଟିକସ କମାଇବାକୁ ରାଜି ହେଉନାହାନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର କିଛି ଦିନ ଭିତରେ ବହୁତ ବଢ଼ିଯାଇଛି । ଡିଜେଲର ଲିଟର ପିଛା ଦର ୬୭ ଟଙ୍କା ୯୯ ପଇସାରେ ପହଞ୍ଚିଯାଇଛି । ପ୍ରତିଦିନ ଏହାର ମୂଲ୍ୟ ୧୫ ପଇସା ପାଖାପାଖି ବୃଦ୍ଧି ହେଉଛି । ଗତବର୍ଷ ଡିସେମ୍ବର ୧୯ ତାରିଖରେ ଡିଜେଲ ଦର ୬୩ ଟଙ୍କା ହୋଇଥିଲା । ଇତି ମଧ୍ୟରେ ଏହି ଦର ୫ ଟଙ୍କା ବଢ଼ିଗଲାଣି । ଡିଜେଲ ଦରରେ ହେଉଥିବା ବୃଦ୍ଧି ସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରଭାବିତ କରିବ। ଡିଜେଲକୁ ଇନ୍ଧନ ଭାବେ ବ୍ୟବହାର କରୁଥିବା ଉଭୟ ମାଲବାହୀ ଏବଂ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ଖର୍ଚ ପରିମାଣ ବହୁତ ବଢ଼ିଗଲାଣି । ଏହି ବୋଝ ହାଲୁକା କରିବା ପାଇଁ ସେମାନଙ୍କ ନିକଟରେ ଗ୍ରାହକଙ୍କ ଉପରେ ବୋଝ ଲଦିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୧ ଟଙ୍କା ୨୮ ପଇସାରେ ପହଞ୍ଚିଛି ।

diesel-petrol_2953700fଉତ୍ପାଦନ ଶୁଳ୍କ ୯ ଥର ବଢ଼ିଛି- ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ସରକାର ୯ ଥର ଉତ୍ପାଦନ ଶୁଳ୍କ ବଢ଼ାଇଛନ୍ତି । ଅବଶ୍ୟ ଗତବର୍ଷ ଅକ୍ଟୋବରରେ ଉତ୍ପାଦନ ଶୁଳ୍କରେ ୨ ଟଙ୍କା ହ୍ରାସ କରାଯାଇଥିଲା । ପନ୍ଦର ମାସ ଭିତରେ ଲିଟର ପିଛା ପେଟ୍ରୋଲ୍ ଉପରେ ଉତ୍ପାଦନ ଶୁଳ୍କ ୧୧ ଟଙ୍କା ୭୭ ପଇସା ବଢ଼ିଥିବା ବେଳେ ଡିଜେଲ ଉପରେ ଏହି ଶୁଳ୍କ ୧୩ ଟଙ୍କା ୪୭ ପଇସା ବଢ଼ିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ନିମ୍ନ ସ୍ତରରେ ରହୁଥିବା ସୁଯୋଗ ନେଇ ସରକାର ଅଧିକ ରାଜସ୍ୱ ପାଇବା ଆଶାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ବାରମ୍ବାର ଉତ୍ପାଦନ ଶୁଳ୍କ ବଢ଼ାଇଛନ୍ତି । କିନ୍ତୁ ଅଶୋଧିତ ତୈଳ ଦର ବଢ଼ିବା ପରେ ସେହି ଶୁଳ୍କରେ ହ୍ରାସ କରାଯାଉନାହିଁ । ଯାହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି । ଏବେ ଏକ ଲିଟର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୪୮ ପଇସାର ଉତ୍ପାଦନ ଶୁଳ୍କ ଆଦାୟ କରାଯାଉଥିବା ବେଳେ ଲିଟର ପିଛା ଡିଜେଲ ଉପରୁ ୧୫ ଟଙ୍କା ୩୩ ପଇସା ଆଦାୟ କରାଯାଉଛି । ଏହା ବାଦ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଲଗା ଅଲଗା ଟିକସ ରହିଛି ।