ଅନ୍ତର୍ଜାତୀୟ ବଜାରରେ କମୁଛି, କିନ୍ତୁ ଭାରତରେ ବଢୁଛି ତେଲ ଦର । ଓଡିଶାରେ ୮୦ ଟପିଲା ପେଟ୍ରୋଲ, ଗ୍ରାହକଙ୍କ ବଢାଇଲା ଚିନ୍ତା

67

କନକ ବ୍ୟୁରୋ : ପୁଣି ନିଆଁ ଲଗାଇଲା ପେଟ୍ରୋଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିଲେ ବି ଉପରମୁହାଁ ହେଉଛି ପେଟ୍ରୋଲର ମୂଲ୍ୟ । ଅଗଷ୍ଟ ୧୬ ତାରିଖରୁ ପେଟ୍ରୋଲ ଦର ବଢିବାରେ ଲାଗିଛି । ତେବେ ସବୁଠୁ ଅଧିକ ମାଡ଼ ପଡିଛି ଓଡ଼ିଶାର ପଛୁଆ ଜିଲ୍ଲାଗୁଡିକରେ । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଛି । ଅର୍ଥାତ ଗରିବ ଓ ଆଦିବାସୀ ଇଲାକାର ଲୋକେ ଅଧିକ ମୂଲ୍ୟରେ କିଣୁଛନ୍ତି ପେଟ୍ରୋଲ ।

କିଛି ଦିନ ପରେ ପୁଣି ପେଟ୍ରୋଲ ଦରରେ ନିଆଁ ଲାଗିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଯେତିକି କମି କମି ଚାଲିଛି, ସେହି ଅନୁପାତରେ ବଢି ବଢି ଚାଲିଛି ପେଟ୍ରୋଲ ଦର । ଅନ୍ତର୍ଜାତୀୟ ଅଶୋଧିତ ତେଲ ଦର ହ୍ରାସ ପାଇଥିଲେ ବି ଉପରମୁହାଁ ହେଉଛି ତେଲର ମୂଲ୍ୟ । ତେବେ ସବୁଠୁ ସାଂଘାତିକ ହେଉଛି ଓଡ଼ିଶାର ଉପାନ୍ତ ଜିଲ୍ଲାଗୁଡିକରେ । ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଯେତିକି ଟଙ୍କାରେ ବିକ୍ରି ହେଉଛି, ତା’ଠାରୁ ଅଧିକ ଦରରେ ବିକ୍ରି ହେଉଛି ନବରଙ୍ଗପୁର ଓ ଜୟପୁରରେ । ପରିବହନ ମୂଲ୍ୟ ଭିଡି ଦେବା ପରେ ଲିଟର ପିଛା ପାଖାପାଖି ୩ ଟଙ୍କା ବଢି ଯାଉଛି ଏହି ସହରରେ ।

ତେବେ ଏସବୁ ଭିତରେ ନଜର ପକାନ୍ତୁ କେଉଁ ସହରରେ ପେଟ୍ରୋଲ ଓ ଡିଜେଲର ଦାମ କେତେ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୨୬ ପଇସା ପଡୁଥିବା ବେଳେ ଡିଜେଲ ଲିଟରକୁ ପଡୁଛି ୭୫ ଟଙ୍କା ୧୧ ପଇସା । ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଲିଟର ୮୦ ଟଙ୍କା ୩୭ ପଇସା ଓ ଡିଜେଲ ମିଳୁଛି ୭୮ଟଙ୍କା ୨୨ ପଇସାରେ । ଆଉ କୋରାପୁଟ ଜିଲ୍ଲା ସଦର ମହକୁମା ଜୟପୁରରେ ପେଟ୍ରୋଲ ଲିଟର ୮୦ ଟଙ୍କା ୩ ପଇସା ଓ ଡିଜେଲ ମିଳୁଛି ୭୮ ଟଙ୍କାରେ । ସମ୍ବଲପୁରରେ ପେଟ୍ରୋଲ ଲିଟରକୁ ୭୭ଟଙ୍କା ୬୭ ପଇସା ଓ ଡିଜେଲ ଲିଟରକୁ ୭୫ ଟଙ୍କା ୫୩ ପଇସା । ବ୍ରହ୍ମପୁରରେ ମଧ୍ୟ ଗ୍ରାହକଙ୍କୁ କନ୍ଦାଇଛି ତୈଳ ଦର । ବ୍ରହ୍ମପୁରରେ ପେଟ୍ରୋଲ ୭୮ ଟଙ୍କା ୯୦ ପଇସା, ଡିଜେଲ ୭୫ ଟଙ୍କା ୯୫ ପଇସା ।ପେଟ୍ରୋଲ ଦର ବୃଦ୍ଧି ପୁଣି ଥରେ ଚିନ୍ତାରେ ପକାଇ ଦେଇଛି ଗ୍ରାହକଙ୍କୁ । ବିଶେଷ କରି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଲୋକେ ଏହି ମହଙ୍ଗା ମାଡ଼ରେ ଅଧିକ ପ୍ରଭାବିତ ହେଉଛନ୍ତି ।