ପାଣିରେ ବୁଡ଼ିଲା ସୁନାର ଫସଲ ! ପେଥାଇ ମାଡରେ ଧୋଇଗଲା ଧାନ ଏବଂ ପରିବା ଚାଷ

ଏସଆରସି କହିଲେ, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଗାଯାଇଛି କ୍ଷୟକ୍ଷତି ରିପୋର୍ଟ

56

କନକ ବ୍ୟୁରୋ : ବାତ୍ୟା ପେଥାଇ ଧୋଇଦେଲା ସୁନାର ଫସଲ । ଦୁଇ ଦିନର ଲଗାଣ ବର୍ଷାରେ ବିଲରେ ଆଠୁଏ ଉଚର ପାଣି ଜମି ରହିଛି । କେଉଁଠି ଅମଳ ଫସଲ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି ତ ଆଉ କେଉଁଠି ପନିପରିବା । ବର୍ଷା ଦାଉରୁ ରକ୍ଷା ପାଇନି ଚାଷୀର କପା ଫସଲ ।

ବିଲରେ ଭିଜୁଛି ପାଚିଲା ଧାନ । ଉଜୁଡି ଯାଇଛି ଅମଳ ଫସଲ । ଖଳାରେ ଥିବା କଟା ଧାନ ବି ବର୍ଷାରେ ଭିଜୁଛି । ବାତ୍ୟା ପେଥାଇ ପ୍ରଭାବରେ ଦୁଇ ଦିନର ଲଗାଣ ବର୍ଷାରେ ଚାଷୀର ସୁନାର ଫସଲ ଧୋଇଯାଇଛି । କିଛି ସ୍ଥାନରେ ଧାନରୁ ଗଜା ଉଠିଲାଣି । ବିଲରେ ଆଂଠୁଏ ଉଚର ପାଣି ଲହଡି ଭାଂଗୁଛି । ଆଉ ଭିଜୁଥିବା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ ।

 

ହେକ୍ଟର ହେକ୍ଟର ଜମିରେ ପାଣି ମାଡିଯାଇଛି । ଧାନ ଫସଲ ଧୋଇଯାଇଛି ଆଉ ତାସହ ପନିପରିବା ବି । ପରିବା କିଆରିରେ ବର୍ଷା ପାଣି ଜମି ରହିଛି । ଫଳରେ ପରିବା ଫସଲ ନଷ୍ଟ ହେବା ଡର ଚାଷୀକୁ ଘାରିଛି । କିଆରିରୁ ପାଣି ନିଷ୍କାସନ ନହେଲେ ଗଛର ମୂଳ ପଚିିଯିବ, ଆଉ ଆଖି ଆଗରେ ଉଜୁଡିଯିବ ଝାଳବୁହା ପରିଶ୍ରମ । ଏପଟେ ନଷ୍ଟ ହୋଇଯାଇଛି କପା ଚାଷ । ଅଧିକାଂଶ ସ୍ଥାନରେ ଗଛରୁ କପା ଝଡିଯାଇଛି । ଆଉ ଯେତିକି ବଳିଛି, ବର୍ଷା ଓ କାଦୁଅରେ କପାର ମାନ ଖରାପ ହୋଇଯାଇଛି ।

ବାତ୍ୟା ପେଥାଇ ପ୍ରଭାବରେ ୧୦୦ଟି ବ୍ଲକ୍ରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ଏହାପରେ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ଏସଆରସି କହିଛନ୍ତି । ବାତ୍ୟା ପେଥାଇ ଆନ୍ଧ୍ରରେ ହିଟ୍ କଲା । ହେଲେ ଏହାର ପ୍ରଭାବରେ ଓଡିଶାରେ ହୋଇଥିବା ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଂଗି ଦେଇଛି ।

Comments are closed.