ସମ୍ବଲପୁର ଚକଡା ଚଡକ ସ୍ଥିତି ନେଇ ବିଶେଷଜ୍ଞଙ୍କ ସମୀକ୍ଷା । ପ୍ରଭାବିତ ଅଂଚଳ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କଲେ ୩ କୃଷି ବୈଜ୍ଞାନିକ

56

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାର ଚାଷୀଙ୍କ ଉପରେ ପଡିଛି ଚକଡ଼ା ଚଡ଼କ । ଖରିଫ ଋତୁ ଭଳି ଚକଡ଼ା ଉଗ୍ରରୁପ ନେବା ଆଗରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବୈଜ୍ଞାନିକମାନେ ସମ୍ବଲପୁରରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଟିମ୍ ଚକଡ଼ା ଆକ୍ରାନ୍ତ ଚାଷ ଜମିକୁ ଯାଇ ତଦାରଖ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଚାଷୀ ବ୍ୟବହାର କରିଥିବା ବେସରକାରୀ ଔଷଧର ଯାଂଚ କରି କୀଟନାଶକ ଦୋକାନ ଉପରେ ଚଢ଼ାଉ କରିଛନ୍ତି ।

ଚକଡ଼ା ପୋକର ଶିକାର ହୋଇଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ । ଜିଲ୍ଲା ମାନେଶ୍ୱର, ଯୁଯୁମୁରା ଓ ଧନକଉଡ଼ା ବ୍ଲକର ପ୍ରାୟ ୬୦୦ ଏକର ଚାଷ ଜମିରେ ଚକଡା ମାଡି ଯାଇଛି । ଚକଡା ଚଡକ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସମ୍ବଲପୁର ପହଂଚିଛନ୍ତି ୩ ଜଣିଆ ରାଜ୍ୟ କୃଷୀ ବିଶେଷଜ୍ଞ ଟିମ୍ । ଶସ୍ୟ ସଂରକ୍ଷଣ ଅଧିକାରୀ, ଓୟୁଏଟି ଭୁବନେଶ୍ୱରର ନୃତତ୍ୱ ପ୍ରଫେସର, କେନ୍ଦ୍ର ସରକାରଙ୍କର ସିଆଇପିଏଲ ଅଧିକାରୀ ଚକଡ଼ା ଆକ୍ରାନ୍ତ ଜମିକୁ ଯାଇ ତଦାରଖ କରିଛନ୍ତି । ଧାନ ଗଛ ମୂଳ ଏବଂ ଧାନ ଗଛର ପରୀକ୍ଷା କରିବା ପରେ ଚକଡା ଲାଗିଥିବା କଥା ସ୍ୱୀକାର କରିଛନ୍ତି ଅନୁଧ୍ୟାନକାରୀ ଟିମ୍ ।

ଚକଡା କବଳରୁ ଚାଷ ବଂଚାଇବା ପାଇଁ ଚାଷୀ କେତେ ପରିମାଣର, କେଉଁ ଔଷଧ ପ୍ରୟୋଗ କରୁଛି ତାର ସମସ୍ତ ତଥ୍ୟ ନେଇଛନ୍ତି କୃଷି ବୈଜ୍ଞାନିକ । ଏହାସହ ଚାଷୀଙ୍କୁ କୀଟନାଷକ ଯୋଗାଉଥିବା ଦୋକାନରେ ଚଢ଼ାଉ କରି ଅନୁଧ୍ୟାନକାରୀ ଟିମ୍ ଚକଡ଼ା ଔଷଧ ଯାଂଚ କରିଥିଲେ ।

ସେପଟେ ଚକଡା କ୍ଷତିପୂରଣ ଦାବିରେ ପ୍ରଶାସନିକ ଅଧିକାରୀଙ୍କ ଅଫିସ ଘେରାଉ । ସୁବଣ୍ଣପୁର ଜିଲ୍ଳା ସଦର ବ୍ଲକ ଡ଼ବଲଙ୍ଗ ଅଂଚଳର ଶତାଧିକ ଚାଷୀ ଲଛିପୁର ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଖରିଫ ଋିତୁରେ ଧାନଚାଷରେ ଚକଡ଼ା ପୋକ ଲାଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷତିପୁରଣ ଦାବି କରିଛନ୍ତି ଚାଷୀ । ରାଜ୍ୟ ସରକାର ଚକଡ଼ା ଜନିତ କ୍ଷୟକ୍ଷତିର ଆକଳନ କରି ସହାୟତା ଘୋଷଣା କରିଥିବା ବେଳେ ଚାଷୀଙ୍କୁ ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ତେଣୁ ଶତାଧିକ ଚାଷୀ ଏକାଠି ହୋଇ ଲଛିପୁରୁ ରାଜସ୍ୱ କାର୍ଯ୍ୟାଳୟ ଘେରାଉ କରିଥିଲେ ।