ଚାଞ୍ଚଲ୍ୟକର ତଥ୍ୟ ଦେଲା ପିପୁଲ୍ସ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ ଇଣ୍ଡିଆ ! ୫୦ ବର୍ଷରେ ଲୁପ୍ତ ହେବ ଅଧାରୁ ଅଧିକ ଭାରତୀୟ ଭାଷା

24

କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ଦ୍ୱାରା ବ୍ୟବହାର ହେଉଥିବା ଅଧାରୁ ଅଧିକ ଭାରତୀୟ ଭାଷା ଆଗାମୀ ୫୦ ବର୍ଷ ଭିତରେ ଲୁପ୍ତ ହେବ ବୋଲି ଗବେଷକମାନେ କହିଛନ୍ତି । ଦେଶର ଲୁପ୍ତପ୍ରାୟ ଆଦିବାସୀ ସଂପ୍ରଦାୟ ଦ୍ୱାରା ବ୍ୟବହାର ହେଉଥିବା ଭାଷାଗୁଡ଼ିକ ପ୍ରତି ଅଧିକ ବିପଦ ଦେଖାଦେଇଛି ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଗୁରୁତ୍ୱାରୋପ କରାଯାଇଛି । ପିପୁଲ୍ସ ଲିଂଗ୍ୟୁଷ୍ଟିକ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ପିଏସଏଲଆଇ) ଦ୍ୱାରା ହୋଇ ସର୍ଭେକ୍ଷଣରୁ ଏ ବାବଦ ତଥ୍ୟ ସାମ୍ନାକୁ ଆସିଛି ।

ଭାରତର ଜନସାଧାରଣ ୭୮୦ଟି ଭାଷାରେ କଥାବାର୍ତ୍ତା କରିଥାନ୍ତି ବୋଲି ପିଏସଏଲଆଇ ସର୍ଭେ ରିପୋର୍ଟରେ କୁହାଯାଇଛି । ପିଏସଏଲଆଇ ଅଧ୍ୟକ୍ଷ ଜି.ଏନ୍‌ ଡେଭି କହିଛନ୍ତି କହିଛନ୍ତି ଯେ ଆଗାମୀ ୫୦ ବର୍ଷ ଭିତରେ ଅତିକମରେ ୪୦୦ ଭାରତୀୟ ଭାଷାର ମୃତ୍ୟୁ ଘଟିବା ଆଶଙ୍କା ରହିଛି । ଯେତେବେଳେ ଗୋଟିଏ ଭାଷାର ମୃତ୍ୟୁ ଘଟିଥାଏ, ଏହି ଭାଷା ସହିତ ଜଡ଼ିତ ସଂସ୍କୃତି ମଧ୍ୟ ଅକାଳ ମୃତ୍ୟୁର ଶିକାର ହୋଇଥାଏ । ବିଗତ ୫୦ ବର୍ଷ ଭିତରେ ଭାରତ ୨୫୦ରୁ ଅଧିକ ଭାଷା ହରାଇଛି ବୋଲି ସେ କହିଛନ୍ତି । ଭାରତର ଆଂଚଳିକ ଭାଷା ଏବଂ ଏହା ସହିତ ଜଡ଼ିତ ସାଂସ୍କୃତିକ ଐତିହ୍ୟ ଏବଂ ବିବିଧତାରର ସୁରକ୍ଷା ପାଇଁ ପିଏସଏଲଆଇ ସଂସ୍ଥା ବ୍ୟାପକ ଗବେଷଣା ଜାରି ରଖିଛି ।

ଆଦିବାସୀ ଅଧ୍ୟୁଷିତ ଅଂଚଳର ବିଦ୍ୟାଳୟଗୁଡ଼ିକରେ କେବଳ ସ୍ୱୀକୃତିପ୍ରାପ୍ତ ଭାରତୀୟ ଭାଷାର ବ୍ୟବହାର ହେଉଥିବାରୁ ଆଦିବାସୀ ସଂପ୍ରଦାୟର ପିଲାମାନେ ସେମାନଙ୍କ ପାରମ୍ପରିକ ଭାଷାଠାରୁ ଦୂରେଇ ଯାଉଛନ୍ତି । ବିହାରର ପୂର୍ବାଞ୍ଚଳରେ ବ୍ୟବହାର ହେଉଥିବା ମୈଥିଳି ଭାଷା ୧ହଜାର ବର୍ଷ ପୁରୁଣା । ସେହିଭଳି ଅନେକ ପୁରୁଣା ଭାଷା ଏବେ ବି ଭାରତରେ ବ୍ୟବହାର ମାଧ୍ୟମରେ ଜୀବିତ ରହିଛି । ବିଶ୍ୱବ୍ୟାପୀ ବ୍ୟବହାର ହେଉଥିବା ପ୍ରାୟ ୬ ହଜାର ଜୀବିତ ଭାଷା ଉପରେ ଏବେ ପିଏସଏଲଆଇ ଏବେ ଦସ୍ତାବିଜ ପ୍ରସ୍ତୁତ କରୁଛି।