ଡିଜିଟାଲ ଡିସପ୍ଲେ ବୋର୍ଡରେ ଆସିବ ନିର୍ବାଚନ ଫଳାଫଳ । ଲୋକେ ପାଇପାରିବେ ଟିକିନିକି ତଥ୍ୟ

814

କନକ ବ୍ୟୁରୋ : ଆସନ୍ତାକାଲି ଖୋଲିବ ଭାନୁମତୀ ପେଡି । ଆଉ ଏହାସହ ନିର୍ଦ୍ଧାରଣ ହୋଇଯିବ ନେତାଙ୍କ ଭାଗ୍ୟ । କିଏ ବାଜି ମାରିବ,ଆଉ କିଏ ପୁଣି ୫ ବର୍ଷକୁ ଅପେକ୍ଷା କରିବ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ଭୋଟଗଣତି ହେବାକୁ ଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟଗଣତି ଆରମ୍ଭ ହେବା ସହ ଫଳାଫଳକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଅଧିକାରୀ ଭୋଟର ହେଲ୍ପଲାଇନ୍ ଆପ୍ ଜାରି କରିଛନ୍ତି । ଯେଉଁଥିରେ ନିର୍ବାଚନ ଫଳାଫଳ ସର୍ମ୍ପକତି ଟିକିନିକି ଖବର ପାଇପାରିବେ ୟୁଜର୍ସ । ଏହାଛଡା ରୁ ମଧ୍ୟ ଫଳାଫଳ ସର୍ମ୍ପକରେ ସୂଚନା ପାଇପାରିବେ ଲୋକେ ।

ଏହାବାଦ୍ ଭୁବନେଶ୍ୱରରେ ଲୋକଙ୍କୁ ଫଳାଫଳ ଜଣାଇବା ପାଇଁ ଡିଜିଟାଲ ଡିସପ୍ଲେ ବୋର୍ଡ ଲଗାଯିବ । ଫରେଷ୍ଟ ପାର୍କଓ ଜୟଦେବ ଭବନରେ ଡିଜିଟାଲ ଡିସପ୍ଲେ ଲଗାଯିବ । ଯେଉଁଥିରେ ଲୋକେ ନିର୍ବାଚନ ଫଳାଫଳ ଜାଣିପାରିବେ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଆସନ୍ତାକାଲି ସାଧାରଣ ନିର୍ବାଚନର ଭୋଟଗଣତି । ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ହେବ । ସକାଳ ୮ରୁ ଭୋଟଗଣତି ହେବ । ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟଗଣତି ହେବ । ଏଥିପାଇ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି ।ଖାସକରି ପୋଲିସ ପକ୍ଷରୁ ଭୋଟଗଣତି କେନ୍ଦ୍ରରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେବ ଭୋଟଗଣତି । ସ୍ଥାନୀୟ ପୋଲିସ,ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ବଳୟ ମଧ୍ୟରେ ଭୋଟଗଣିତ ହେବ । ଏପରିକି ପ୍ରତି ଭୋଟଗଣତି କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଭିଡିଓଗ୍ରାଫି କରାଯିବ ।