ଦୀଘା ସମୁଦ୍ରରେ ପ୍ରଚଣ୍ଡ ବିସ୍ପୋରଣ! ଭୟଙ୍କର ଶବ୍ଦରେ ଥରିଉଠିଲା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ

141

କନକ ବ୍ୟୁରୋ : ହଠାତ୍ ସମୁଦ୍ର ମଧ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ । କେହି କିଛି ବୁଝିବା ପୂର୍ବରୁ ପୁଣିଥରେ ଶୁଭିଲା ଭୟଙ୍କର ଶବ୍ଦ । ପ୍ରଚଣ୍ଡ ଶବ୍ଦର ପ୍ରକୋପରେ ପୂରା ଅଞ୍ଚଳ ଥରି ଉଠିଥିଲା । ଗତକାଲି ଏଭଳି ଘଟଣା ଓଡ଼ିଶା ସୀମାନ୍ତ ଦୀଘା-ଉଦୟପୁର ସମୁଦ୍ର କୂଳରୁ ପ୍ରାୟ ୩ କିମି ଦୂର ସମୁଦ୍ର ଭିତରେ ହୋଇଥିବାର ସୂଚନା ମିଳିଛି । ଶବ୍ଦ ଏତେ ଭୟଙ୍କର ଥିଲା ଯେ ପର୍ୟ୍ୟଟକଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଧାଇଁଥିଲେ । ଏହି ଘଟଣା ସମୁଦ୍ରକୂଳରେ ବସବାସ କରୁଥିବା ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଖବର ପାଇ ପଶ୍ଚିମବଙ୍ଗ ପୁଲିସ ତନାଘନା ଚଳାଇଛି। ସେଠାରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ଶନିବାର ସକାଳ ୧୧ଟା । ସମୁଦ୍ର ଭିତରୁ ଆସିଥିଲା ଭୟଙ୍କର ପ୍ରଚଣ୍ଡ ଶବ୍ଦ । ଘଟଣାଟି ଜାଣିବା ପୂର୍ବରୁ ୫ ମିନିଟ ମଧ୍ୟରେ ପୁଣିଥରେ ସମୁଦ୍ର ମଧ୍ୟରୁ ଆସିଥିଲା ଭୟଙ୍କର ବିସ୍ପୋରଣର ଶବ୍ଦ । ଲୋକମାନେ କିଛି ଅଘଟଣର ଆଶଙ୍କା କରି ଆତଙ୍କରେ ଥରି ଉଠିଥିଲେ । ଘଟଣାର ସତ୍ୟତା ଜାଣିବା ପାଇଁ ଲୋକ ସମୁଦ୍ରକୂଳକୁ ଧାଇଁଥିଲେ । ହେଲେ ବିସ୍ପୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ, ସମୁଦ୍ରରୁ ବଡ ବଡ ଢେଉ କୂଳ ଆଡକୁ ମାଡ଼ି ଆସିଥିଲା । କେଉଁଆଡୁ ଶବ୍ଦ ଆସିଥିଲା ତାହା କେହି ଜାଣି ପାରିନଥିଲେ । କେବଳ ସମଦ୍ର କୂଳ ନୁହେଁ, ଭୟଙ୍କର ଶବ୍ଦରେ ୧୦ କିମି ପରିଧି ପର୍ୟ୍ୟନ୍ତ ଅଞ୍ଚଳ ଥରି ଉଠିଥିଲା । ବିସ୍ଫୋରଣର ଉତ୍ସ ଖୋଜିବାକୁ ପୁଲିସ ବିଭିନ୍ନ ହୋଟେଲରେ ଯାଞ୍ଚ୍ କରୁଛି।

ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଗୁଜବ ଖେଳି ଯାଇଥିଲା । ଚାନ୍ଦିପୁରରୁ ମିସାଇଲ୍ ପରୀକ୍ଷଣ ବେଳେ ମିସାଇଲ୍ ଖସିପଡିଛି ବୋଲି କିଛି ଲୋକ କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ଚୀନର ଶକ୍ତି ପ୍ରଦର୍ଶନ ବୋଲି କହିଛନ୍ତି । ତେବେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ , ଏହି ଶବ୍ଦ ସମୁଦ୍ର ମଧ୍ୟରୁ ଆସିଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ପୋରଣ ପୂର୍ବରୁ ଦୁଇଟି ରକେଟ ସମୁଦ୍ର ମଧ୍ୟକୁ ଯାଇଥିଲା । ଏଭଳି ଘଟଣା ପରେ ଦୀଘା ପୁଲିସ ସ୍ପିଡ ବୋଟ୍ ଯୋଗେ ଦୀର୍ଘ ସମୟ ଧରି ସମଦ୍ରରେ ବୁଲିଥିଲେ ମଧ୍ୟ ଏହାର କାରଣ ଜାଣି ପାରିନଥିଲେ । ତେବେ ଏହି ଘଟଣାର ଆଜି ଯାଞ୍ଚ୍ କରାଯିବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି ।