ମଦ ବେପାରୀଙ୍କୁ ପ୍ରୋତ୍ସାହନ ନେଇ ବଢୁଛି ଅସନ୍ତୋଷ: ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ନିଶାନିବାରଣ ଅଭିଯାନ ସଦସ୍ୟଙ୍କ ବିକ୍ଷୋଭ
ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ
କନକ ବ୍ୟୁରୋ: ମଦ ବେପାରୀଙ୍କୁ ପ୍ରୋତ୍ସାହନ ପ୍ରସଙ୍ଗ ବିବାଦୀୟ ହୋଇପଡିଛି । ଷ୍ଟାଣ୍ଡିଂ କମିଟିର ଏହି ସୁପାରିଶକୁ ବିରୋଧ କରି ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଆଗରେ ମିଳିତ ନିଶା ନିବାରଣ ଅଭିଯାନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ତୁରନ୍ତ ଏହି ଅଧିନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି ପତ୍ର ଦିଆଯାଇଛି । ପୁଲିସ ମନ୍ତ୍ରୀଙ୍କ ବାସଭବନ ଆଗରୁ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି । ଚଳିତ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ସରକାରୀ ଓ ବେସରକାରୀ ସ୍ତରରେ କରାଯାଉଛି । ହେଲେ ମଦ ବ୍ୟବସାୟକୁ ପ୍ରୋତ୍ସାହନ ଗାନ୍ଧିଜୀଙ୍କ ନୀତିର ଉପହାସ ବୋଲି କହିଛନ୍ତି ବିକ୍ଷୋଭକାରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ମଦ ବେପାରୀଙ୍କୁ ରାଜ୍ୟ ସରକାରଙ୍କ ପୁରସ୍କାର ନେଇ ବିବାଦ ତୀବ୍ର ହୋଇଥିବା ବେଳେ ଜାତୀୟ ସ୍ତରରେ ସାମ୍ନାକୁ ଆସିଛି ସମସ୍ତଙ୍କୁ ଚକେଇ ଦେଲା ଭଳି ଏକ ରିପୋର୍ଟ । ଦେଶରେ ମଦ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ୨୦୧୧ରୁ ୨୦୫୦ ଭିତରେ ଦେଶରେ ୨୫୮ ମିଲିୟନ ଲୋକ କେବଳ ମଦ ଯୋଗୁଁ ପ୍ରାଣ ହରାଇବେ ବୋଲି ଏକ ଆକଳନ କରାଯାଇଛି । ଏହା ଦେଶର ଜିଡିପି ବା ଅଭିବୃଦ୍ଧି ହାରର ୧.୪୫ ପ୍ରତିଶତକୁ ପ୍ରଭାବିତ କରିବ ବୋଲି କୁହାଯାଇଛି ।
ଜନସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ କରୁଥିବା ଏକ ଡାକ୍ତରୀ ସଂଘ ତରଫରୁ ଏମିତି ଏକ ରିପୋର୍ଟ ଇଂଟରନେସନାଲ ଜର୍ଣ୍ଣାଲ ଅଫ ଡ୍ରଗ ପିଲିସିରେ ପ୍ରକାଶ ପାଇଛି । ୨୦୫୦ ବେଳକୁ ହାରହାରି ଆୟୁଷ ୭୫ ଦିନ କମିଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଆଗାମୀ ଦିନରେ ମଦ ସହ ଯକୃତ ଜନିତ ରୋଗ, କ୍ୟାନସର ଓ ରାସ୍ତା ଦୁର୍ଘଟଣା ଅଧିକ ଜୀବନ ନେଉଥିବ ବୋଲି ସର୍ଭେ କହିଛି । ଦେଶରେ ମଦ ପିଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସାଧାରଣ ଆୟୁଷ କମିବ ବୋଲି ଏଥିରେ ଉଦବେଗ ପ୍ରକାଶ ପାଇଛି ।