ବିଦେଶରୁ ଫେରିଲେ ‘କାଳିଆ’ ପାଇଁ ! ଗ୍ରୀନ୍ ଫର୍ମରେ ଆବେଦନ ପାଇଁ ପଂଚାୟତ ଅଫିସ ଆଗରେ ଲାଇନ ଲଗାଇଛନ୍ତି ଭିଟାମାଟି ଛାଡିଥିବା ପରିବାର

305

କନକ ବ୍ୟୁରୋ : କାଳିଆ ପାଇଁ ଗାଁକୁ ଫେରୁଛନ୍ତି ଲୋକ । ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାରେ ରହୁଥିବା ଓଡ଼ିଆ ଲୋକମାନେ ଏବେ କାଳିଆ ଯୋଜନାରେ ନିଜକୁ ପଂଜିକୃତ କରିବା ପାଇଁ ଗାଁକୁ ଫେରୁଥିବାର ଦେଖିବାକୁ ମୁଳୁଛି । ଜମିବାଡି ନଥିବା କୃଷି ଶ୍ରମିକଙ୍କ ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତା ବ୍ୟବସ୍ଥା ଥିବାରୁ ଆବେଦନ କରିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । ଏପଟେ କାଳିଆ ଯୋଜନରେ ଦୁର୍ନୀତିର ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ସଂପୂର୍ଣ୍ଣ ଭିତହୀନ ବୋଲି କହିଛି ବିଜେଡି ।

ଯେଉଁମାନେ ଭିଟାମାଟି ଛାଡ଼ି ପରିବାର ସହ ସହରରେ ରହୁଛନ୍ତି, ଏବେ ‘କାଳିଆ’ ଟଙ୍କା ପାଇଁ ହେଉଛନ୍ତି ଗାଁ ମୁହାଁ । ଚାଷୀଙ୍କୁ ସହାୟତା ପାଇଁ ‘କାଳିଆ’ ଯୋଜନା ଘୋଷଣା ପରେ ରାଜ୍ୟର କୋଣ ଅନୁକୋଣରେ ଦେଖିବାକୁ ମିଳୁଛି ସେହିଭଳି ଚିତ୍ର । ପଂଚାୟତ ଅଫିସରେ ଆବେଦନ ପାଇଁ ଲାଗୁଛି ଲମ୍ବା ଲାଇନ୍ ।

ପ୍ରଥମ ପର୍ଯ୍ୟାୟ ଆବେଦନ ୧୫ ତାରିଖକୁ ଘୁଂଚିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଆବେଦନ କରାଯାଇପାରିବ ବୋଲି ସ୍ପଷ୍ଟ କରିସାରିଛନ୍ତି ସରକାର । ସେପଟେ ବିଭିନ୍ନ ଅଂଚଳରୁ କାଳିଆ ପାଇଁ ଫର୍ମ ବିକ୍ରି ହେଉଥିବା ଖବର ଆସୁଛି । ଏସବୁ ଭିତରେ ଖବରକାଗଜରେ ଆବେଦନ ଫର୍ମ ପ୍ରକାଶ ପାଇଛି । ଏହାକୁ ଜେରକ୍ସ କରି ଆବେଦନ କରିବାକୁ ବିଜ୍ଞାପନ ଦେଇଛନ୍ତି ସରକାର । ଏହା ସତ୍ୱେ ‘କାଳିଆ’କୁ ନେଇ କନଫ୍ୟୁଜନ ଦୂର ହେଉନାହିଁ ।

କାଳିଆ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଫ୍ଲେକ୍ସ, ବ୍ୟାନର ଆଦି ପ୍ରିଟିଂରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ବିଜେପି କହିଛି ପ୍ରକୃତ ଚାଷୀ ଚିହ୍ନଟ ନକରି ଦଳୀୟ ଆଧାରରେ ଚୟନ ହେଉଛି ହିତାଧିକାରୀ । ତେବେ ଏସବୁ ଅଭିଯୋଗକୁ ଭିତହୀନ ବୋଲି କହିଛନ୍ତି ମନ୍ତ୍ରୀ ଶଶିଭୂଷଣ ବେହେରା । ଗୋଟିଏ ପଟେ କାଳିଆକୁ ନେଇ ସାରା ରାଜ୍ୟରେ ପ୍ରବଳ ଉକ୍ରଣ୍ଠା ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଜୋରଦାର ରାଜନୀତି ଆରମ୍ଭ ହୋଇଛି ।