ମାଟି ତଳେ ଚାଲିଛି ରତ୍ନଭଣ୍ଡାର ଖୋଜା। ସୁବର୍ଣ୍ଣପୁର ଗୋପପାଲି ଗାଁରେ ମିଳୁଛି ମୂଲ୍ୟବାନ ପଥର

775

କନକ ବ୍ୟୁରୋ: ସୁବର୍ଣ୍ଣପୁରରେ ସୁନା ଖଣି ନାହିଁ କିନ୍ତୁ ବିଭିନ୍ନ ଜାଗାରେ ରହିଛି ମୂଲ୍ୟବାନ ପଥରର ଖଣି । ଆଉ ଏଭଳି ଏକ ରତ୍ନ ଭଣ୍ଡାରର ସନ୍ଧାନ ମିଳିଛି ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଗୋପପାଲି ଗାଁରେ । ଉପଖଣ୍ଡର ବଡମାଲ ଗାଁ ପରେ ଏବେ ଗୋପପାଲି ଗାଁରେ ରତ୍ନଭଣ୍ଡାର ଥିବା ଖବର ଜଣାପଡିବା ପରେ ଖଣି ବିଭାଗ ,ପୋଲିସ ବିଭାଗ ତଥା ରାଜସ୍ବ ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି ।ଶହ ଶହ ଲୋକ ମୂଲ୍ୟବାନ ଜେମସ ଷ୍ଟୋନ ପାଇବା ଆଶାରେ ଏକ ଆଟ ଜମିକୁ ସଂପୂର୍ଣ୍ଣ ଖୋଳି ଦେଇଛନ୍ତି ।ଘଟଣାଟି ପ୍ରଚାରିତ ହେବା ପରେ ଖଣି ଅଧିକାରୀଙ୍କ ସମେତ ବୀରମହାରାଜପୁର ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଖଣି ଖୋଳାଯାଉଥିବା ଜାଗାକୁ ସିଲ କରି ଦେଇଛନ୍ତି ।

ମାଟି ତଳୁ ମିଳିବ ରତ୍ନ ପଥର । ରାତା ରାତି ହେବେ କୋଟି ପତି । ଏହି ଆଶାରେ ପିଲା ଠୁ ବୁଢା ଯାଏଁ ସମସ୍ତେ ରତ୍ନପଥର ପାଇବା ଆଶାରେ ମାଟି ଖୋଳିବାରେ ଲାଗି ପଡିଛନ୍ତି ବୀରମହାରାଜପୁର ବ୍ଲକ ଗୋପପାଲି ଗାଁର ହିରାଲାଲଙ୍କ ଜମିକୁ । ଶହ ଶହ ଲୋକ ହୀରାଲାଲଙ୍କ ଜମିକୁ ଯାଇ ମୂଲ୍ୟବାନ ରତ୍ନ ପଥର . ଜେମସ ଷ୍ଟୋନ, ବେରଜୁ , ନୀଲମ ପାଇଁ ଜମିର ବିଭିନ୍ନ ଯାଗାରେ ଖୋଳିଛନ୍ତି । ହୀରାଲାଲ ଏକ ନୂଆଁ ଘର ତିଆରି କରିବା ପାଇଁ ନିଜ ଜମିରେ ମାଟି ଇଟା ତିଆରି କରୁଥିଲେ । ଇଟା ତିଆରି କରିବା ଭିତରେ ଜଣେ ଶ୍ରମଜିବୀ ତାଙ୍କ ଜମିରୁ ଏକ ମୂଲ୍ୟବାନ ରତ୍ନ ପଥର ପାଇଥିବା ଜଣା ପଡିଥିଲା । ପରେ ଲୋକେ ସେହି ଜମିରେ ରତ୍ନ ପଥର ପାଇବା ଆଶାରେ ବିଭିନ୍ନ ଯାଗାରେ ଖୋଳିଥିଲେ । ଜମିମାଲିକ ହୀରାଲାଲର ବାରଣ ସତ୍ତ୍ବେ ଶତାଧିକ ଲୋକ ରତ୍ନ ପଥର ଓ ଜେମସ ଷ୍ଟୋନ ଭଳି ମୂଲ୍ୟବାନ ପଥର ପାଇବା ଆଶାରେ ମାଟି ଖୋଳିଥିଲେ । ଫଳରେ ଜମିମାଲିକ ଲୋକଙ୍କୁ ବାରଣ କରି ନ ପାରି ପୋଲିସକୁ ଖବର ଦେଇଥିଲେ । ପୋଲିସର ବାରଣ ସତ୍ତ୍ବେ ଲୋକେ ମୂଲ୍ୟବାନ ରତ୍ନପଥର ପାଇବା ଲୋଭରେ ଜମି ଖୋଳୁଛନ୍ତି ।

ବୀରମହାରାଜପୁର ପୋଲିସ ଗୋପପାଲି ଖଣି ଅଂଚଳକୁ ଯାଇ ଲୋକଙ୍କୁ ବାରଣ କରିଥିଲା । ରାଜସ୍ବ ବିଭାଗ ଓ ଖଣି ବିଭାଗର କର୍ମଚାରୀମାନେ ବି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବଲାଂଗିର ମାଇନିଂ ବିଭାଗର ବରିଷ୍ଠ ଅଧିକାରୀ ପୋଲିସ ଓ ରାଜସ୍ବ ଅଧିକାରୀଙ୍କ ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବିଭିନ୍ନ ଜାଗାରେ ପଡିଥିବା ହ୍ବାଇଟ କ୍ବାର୍ଜ ଆଦି ପଥରକୁ ଦେଖି କିଛି ମୂଲ୍ୟବାନ ପଥର ବାହାରି ନ ଥିବା କହିଛନ୍ତି । ହେଲେ ଏହି ଅଂଚଳରେ ଓ ଏହି ଜମିରେ ଯେ କିଛି ମୂଲ୍ୟବାନ ପଥର ରହିଛି ତାହା ସେ ଅନୁମାନ କରିଛନ୍ତି ।ପୋଲିସ ପଥର ଖୋଳାଯାଉଥିବା ଜମିକୁ ସିଲ କରିବା ସହିତ ଲୋକେ ପଥର ପାଇବା ଆଶାରେ ଖୋଳିଥିବା ଗାତ ଗୁଡିକ ପୋତି ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।ଜମିର ଉପରି ଭାଗରେ ଅଭ୍ର ଓ ହ୍ବାଇଟ କ୍ବାର୍ଜ ଜାତୀୟ ପଥର ଥିବା ବେଳେ ମାଟି ଭିତରେ ମୂଲ୍ୟବାନ ପଥର ଥିବା ଆଶଂକା କରିଛନ୍ତି । ପୋଲିସ ଏହି ଘଟଣାରେ ତୀକ୍ଷଣ ନଜର ରଖିଥିବା ବେଳେ ଘଟଣା ସ୍ଥଳରେ ୧୪୪ ଧାରା ଜାରି କରି ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛି ।

କିଛି ବର୍ଷ ପୂର୍ବରୁ ବୀରମହାରାଜପୁର ବଡମାଳ ଗାଁରେ ମୂଲ୍ୟବାନ ପଥର ଖୋଳି ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା ।ଏପରିକି ବେଆଇନ ଖଣି ଖନନ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।ବେଆଇନ ଖଣି ଖନନ ରୋକିବା ଦିଗରେ ଖଣି ବିଭାଗ ଓ ପୋଲିସ ବିଭାଗ ଏବେ ଯତ୍ମବାନ ହେବା ଆବଶ୍ୟକ ହୋଇ ପଡିଛି ।