ଖାଲି ଦିନ ନୁହେଁ, ଏଣିକି ରାତିରେ ମିଳିବ ଆହାର । ଯୋଜନା ଚଲାଇବାକୁ ଚାହିଁଲେ ଲୋକେ ବି କରିପାରିବେ ଦାନ

2,163

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏଣିକି ରାତିରେ ଖୋଲିବ ଆହାର କେନ୍ଦ୍ର । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ । କେବଳ ଡାକ୍ତରଖାନା ମାନଙ୍କ ନିକଟରେ ଥିବା ୫୪ଟି ଆହାର କେନ୍ଦ୍ର ରାତିରେ ଖୋଲାରହିବ । ଏବେ ଡାକ୍ତରଖାନକୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ଦିନ ବେଳା ମାତ୍ର ୫ ଟଙ୍କାରେ ଆହାର ପାଇପାରୁଛନ୍ତି । ଆଉ ଖୁବ କମ ଦିନ ମଧ୍ୟରେ ସରକାରଙ୍କ ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଥିଲା । ଆଉ ଏସବୁ ଭିତରେ ରୋଗୀ ମାନଙ୍କ ସର୍ମ୍ପକୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ମାନଙ୍କରେ ରାତ୍ରି ଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ବର୍ଷରୁ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଅନଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ଦିବସ ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ କେବଳ ଅନଲାଇନ ମାଧ୍ୟମରେ ଦାନ ଗ୍ରହଣଟ କରାଯିବ ଓ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆହାର କେନ୍ଦ୍ରକୁ ନେଇ ଆଉ ଏକ ବଡ ନିଷ୍ପତି ନିଆଯାଇଛି । ବର୍ତ୍ତମାନ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ଜାନୁଆରୀ ୨୬ ତାରିଖ ଠାରୁ ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ମଧ୍ୟ ଉପଲବ୍ଧ ହେବ । ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯିବ । ଏହାଛଡା ଆହାର କେନ୍ଦ୍ର ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିଚ୍ଛନତାର ନିୟମିତ ତଦାରଖ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।