ପୁରୀ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ସ୍ଥାନୀୟ ଅଂଚଳ ଓ ବିଭିନ୍ନ ସଂଗଠନର ହଜାର ହଜାର ଲୋକ

45

କନକ ବ୍ୟୁରୋ : ପୁରୀ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଐତିହ୍ୟ କ୍ୟାବିନେଟରେ ଘୋଷଣା ହେବା ପରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନବୀନ ନିବାସରେ ପାଖାପାଖି ୩ ହଜାରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ବିଭିନ୍ନ ଶିକ୍ଷା ସଂଗଠନ, ଭିନ୍ନକ୍ଷମ ସଂଘ, ବିଜେଡି ମହିଳା ମୋର୍ଚ୍ଚା, ବିଭିନ୍ନ ଛାତ୍ରସଂଗଠନ ନବୀନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ସତ୍ୟବାଦୀ ବକୁଳବନରୁ ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା । ଉତ୍କଳମଣି ଗୋପବନ୍ଧୁ ଏହି ସ୍ଥାନରୁ ଶିକ୍ଷାଦାନ ଆରମ୍ଭ କରିଥିଲେ ।

ଓଡିଆ ଜାତି ଯେତେବେଳେ ନିଜ ସ୍ଥିତି ନେଇ ସଂଘର୍ଷ କରୁଥିଲା, ସେହି ସମୟରେ ସତ୍ୟବାଦୀରେ ଇଂରେଜ ଶାସନ କାଳରେ ୧୯୦୯ ମସିହାରେ ଗୁରୁକୁଳର ଆଦର୍ଶରେ ଏହି ଶିକ୍ଷାନୁଷ୍ଠାନ ଗଢିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କର ଏହି ଆନ୍ଦୋଳନରେ ଯୋଡି ହୋଇଥିଲେ ଅନ୍ୟ ୪ ଜଣ ସହଯୋଗୀ – ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର ଓ ଗୋଦାବରୀଶ ମିଶ୍ର । ଏହି ପାଂଚଜଣଙ୍କ ପ୍ରଚେଷ୍ଟାରେ ଚାଲିଥିଲା ଏହି ଆଦର୍ଶ ଶିକ୍ଷାନୁଷ୍ଠାନ । ସତ୍ୟବାଦୀର ସେହି ଐତିହାସିକ ସ୍ଥାନରେ ଓଡିଆ ବିଶ୍ୱବିଦ୍ୟାଳୟ ତିଆରି କରିବା ନିଷ୍ପତ୍ତି ଭାଷା ଓ ସାହିତ୍ୟ ତଥା ପଂଚ ସଖାଙ୍କ ପ୍ରତି ସମ୍ମାନ ବୋଲି କୁହାଯାଉଛି ।