ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ : ଜନସାଧାରଣଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

47

କନକ ବ୍ୟୁରୋ : ଗତ କିଛିଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଦ୍ୟୁତ କାଟ୍‌ ଚାଲିଛି । ଆଜି ଏହା ସୀମା ଟପି ଯାଇଥିଲା । ଭିଆଇପି ଅଞ୍ଚଳକୁ ବାଦ୍‌ ଦେଲେ, ଅନ୍ୟ ସବୁ ସ୍ଥାନରେ ପାଖାପାଖି ଅପରାହ୍ନର କେଇ ଘଣ୍ଟା ମଧ୍ୟରେ ୨୦ରୁ ୨୫ ଥର ଧପ୍‌ ଧପ୍‌ ହୋଇ କଟିଥିଲା ବିଦ୍ୟୁତ୍‌ । ଗୋଟିଏ ପଟେ ବର୍ଷା ଋତୁରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଅନ୍ୟପଟରେ ଅଘୋଷିତ ବିଦ୍ୟୁତ କାଟ୍‌ ଲୋକଙ୍କୁ ସଙ୍ଗିନ୍‌ ସ୍ଥିତିକୁ ଠେଲି ଦେଉଛି । କେବଳ ଭୁବନେଶ୍ୱରରେ ଯେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ତା’ ନୁହେଁ, ସମଗ୍ର ରାଜ୍ୟରେ ବିଦ୍ୟୁତ କାଟ୍‌ ଏବେ ଏକ ବଡ଼ ସମସ୍ୟା ଉଭା ହେଲାଣି । ହେଲେ ଶକ୍ତି ବିଭାଗ କିନ୍ତୁ ପାଓ୍ଵାର କଟ୍‌କୁ ଫାଙ୍କି ଉଡ଼ାଇ ଦେଇଛି ।

ଗ୍ରୀଡ୍‌କୋର ବାଣିଜ୍ୟିକ ନିର୍ଦ୍ଦେଶକ ମାନସ କୁମାର ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଅଘୋଷିତ ପାଓ୍ଵାର କଟ୍‌ ହେଉନାହିଁ । ଯଦିଓ କିଛି ଅଞ୍ଚଳରେ ଦିନରେ କିଛି ଘଣ୍ଟା ପାଇଁ ବିଦ୍ୟୁତ୍‌ କାଟ୍‌ ହେଉଛି, ତାହା ନିୟମିତ ପାଓ୍ଵାର କଟ୍‌ ନୁହେଁ । ବରଂ ମୌସୁମୀ ପୂର୍ବରୁ ଉତ୍ପାଦନକାରୀ ଓ ବିଦ୍ୟୁତ ବିତରଣ ସଂସ୍ଥା ଯନ୍ତ୍ରପାତି ମରାମତି କରିଥାନ୍ତି। ବିଦ୍ୟୁତ୍‌ କାଟ୍‌ ଏହି କାରଣରୁ ହୋଇଥାଇପାରେ ଅଥବା କାଳବୈଶାଖୀ ଅଘଟଣକୁ ଏଡାଇବା ପାଇଁ ବିଦ୍ୟୁତ କାଟ୍‌ କରାଯାଇଥାଇପାରେ । ତଳସ୍ତରରେ ଥରେ ବିଦ୍ୟୁତ କାଟ୍‌ ହେଲେ ଏହା କେବେ ଆସିବ, କେହି କହିପାରୁନାହାନ୍ତି। କିଛି ସ୍ଥାନରେ ଫ୍ୟୁଜ୍‌କଲ୍‌ ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ ସମସ୍ୟାର ସମାଧାନ କରିବେ କଣ ଟେଲିଫୋନ୍‌ ଟେକି ରଖିଦେଉଥିବା ଅଭିଯୋଗ ଆସିଛି । ଏପରିସ୍ଥଳେ ଗ୍ରୀଡ୍‌କୋ ଅଧିକାରୀଙ୍କର ଯୁକ୍ତି ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେବାର ସମ୍ଭାବନା ରଖୁଛି । କେବଳ ସେତିକି ନୁହେଁ, ଜୁନ୍‌ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବା କଥା । ଚଳିତବର୍ଷ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଘୋଷଣା କରିଥିଲା । ମୌସୁମୀ ଏବେ ନିରୁର୍ଦିଷ୍ଟ ହୋଇଥାଇପାରେ ସତ, ମାତ୍ର ଶକ୍ତି ବିଭାଗ ମରାମତି ଆଦି କାର୍ଯ୍ୟ ଏଯାଏ କାହିଁକି ସାରିନାହାନ୍ତି, ତାହା ବୁଝାପଡୁନାହିଁ ।

ସେହିଭଳି ଯେଉଁସ୍ଥାନରେ ବି ମରାମତି ହେଉଛି, ସେ ସ୍ଥାନରେ ବିଦ୍ୟୁତ କାଟ୍‌ ସଂପର୍କରେ ଆଗୁଆ ଘୋଷଣା କରିବାରେ ଅସୁବିଧା କେଉଁଠି ? ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଣାତ୍ମକ ବିଦ୍ୟୁତ ବିନିମୟରେ ଦର ଧାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ସଙ୍କଟ କାରଣରୁ କଷ୍ଟ ପାଉଥିବା ଖାଉଟି ବା ଉପଭୋକ୍ତା ସମାନ ମୂଲ୍ୟ ଦେବ କାହିଁକି ? ଦର ବୃଦ୍ଧି ଶୁଣାଣିକୁ କର୍ତ୍ତୃପକ୍ଷ ଯେତେ ଗୁରୁତ୍ୱ ଦେଉଛନ୍ତି, ଲୋକଙ୍କୁ କିଭଳି ଗୁଣାତ୍ମକ ମାନର ୨୪ ଘଣ୍ଟିଆ ବିଦ୍ୟୁତ ମିଳିବ, ସେ କ୍ଷେତ୍ରରେ ଧ୍ୟାନ ଦେଉଛନ୍ତି କି ? ଏପରି ଅନେକ ପ୍ରଶ୍ନ ଏବେ ଉପଭୋକ୍ତାମାନଙ୍କୁ ଆନ୍ଦୋଳିତ କଲାଣି । ସବୁଠାରୁ କୌତୂହଳର କଥା ହେଉଛି, କର୍ତ୍ତୃପକ୍ଷ ନା ବିଦ୍ୟୁତ କାଟ୍‌କୁ ମାନୁଛନ୍ତି ନା ବିଦ୍ୟୁତ ସଙ୍କଟ କଥାକୁ ସ୍ୱୀକାର କରୁଛନ୍ତି ।

ଶ୍ରୀ ଦାସ ଆଜି ଗଣମାଧ୍ୟମକୁ ପରିସଂଖ୍ୟାନ ଦେଇ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଦିନ ବେଳା (ପିକ୍‌ ସମୟରେ) ୩୮୦୦ ମେଗାଓ୍ଵାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ସନ୍ଧ୍ୟାରେ ( ପିକ୍‌ ସମୟରେ) ୪୨୦୦ ମେଗାଓ୍ଵାଟ ବିଦ୍ୟୁତ ଚାହିଦା ରହିଛି । ରାଜ୍ୟ ସରକାରଙ୍କ ପାଖରେ ଏହାଠାରୁ ଢେର୍‌ ଅଧିକ ପରିମାଣର ବିଦ୍ୟୁତ ଉପଲବ୍ଧ ରହିଛି । ସନ୍ଧ୍ୟା ସମୟରେ ୪୩୦୦ ମେଗାଓ୍ଵାଟ ପର୍ଯ୍ୟନ୍ତ ବିଦ୍ୟୁତ ଉପଲବ୍ଧ । ଏପରିକି ୪୫୦୦ ମେଗାଓ୍ଵାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଚାହିଦା ମେଣ୍ଟାଇବାର କ୍ଷମତା ଗ୍ରୀଡ୍‌କୋର ଅଛି । ପରିସଂଖ୍ୟାନ ରଖି ଗ୍ରୀଡ୍‌କୋ କହିଛି, ଏବେ କେନ୍ଦ୍ରୀୟ ସୂତ୍ରରୁ ୧୨ଶହ ମେଗାଓ୍ଵାଟ ବିଦ୍ୟୁତ ମିଳୁଛି । ଜଳବିଦ୍ୟୁତରୁ ୧୩୫୦ ମେଗାଓ୍ଵାଟ୍‌, ପାୱାର ବ୍ୟାଙ୍କିଙ୍ଗ୍‌ରେ ୧୬୦ ମେଗାଓ୍ଵାଟ ବିଦ୍ୟୁତ ସଂଗ୍ରହ କରାଯାଉଛି । ବାକି ଅନ୍ୟାନ୍ୟ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆସୁଛି । ତେବେ ଗ୍ରୀଡ୍‌କୋ ସ୍ୱୀକାର କରିଛି ଯେ ଚଳିତବର୍ଷ ଜଳ ବିଦ୍ୟୁତ ଉତ୍ପାଦନ କିଛି ପରିମାଣରେ ହ୍ରାସ ପାଇଛି । କାରଣ ବାଲିମେଳା, ଇନ୍ଦ୍ରାବତୀ ଓ ଅପର କୋଲାବରେ ଗତବର୍ଷ ଅପେକ୍ଷା ୨ ମିଟର ଲେଖାଏଁ ଜଳସ୍ତର କମ୍‌ ରହିଛି । ଯେଉଁଥିପାଇଁ ଜଳ ବିଦ୍ୟୁତ ୧୫୫୦ ମେଗାଓ୍ଵାଟ୍‌ ବଦଳରେ ୧୩୫୦ ମେଗାଓ୍ଵାଟ୍‌ ଉତ୍ପାଦନ ହେଉଛି । ତେବେ ହୀରାକୁଦ ବା ରେଙ୍ଗାଳିରୁ ଉତ୍ପାଦନ ପ୍ରଭାବିତ ହୋଇନାହିଁ ।