୩ ଘଣ୍ଟା ଧରି ରାସ୍ତାରେ ତଳେ ପଡିଥିଲେ ୬୦ ବର୍ଷର ବୃଦ୍ଧା ! ନିପା ଭାଇରସ ଭୟରେ କେହି କଲେନିି ସାହାଯ୍ୟ ।

49

ନିପା ଭାଇରସକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଦିନକୁ ଦିନ ବଢିବାରେ ଲାଗିଛି । ନିପା ଭାଇରସର ଆତଙ୍କ ଏତେ ମାତ୍ରାରେ ଖେଳିଯାଇଛି ଯେ, ଲୋକମାନେ କୌଣସି ବେହୋସ ହୋଇଥିବା କିମ୍ବା ଆହତ ହୋଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପଛାଉଛନ୍ତି । ଏଭଳି ଏକ ତାଜା ଘଟଣା ଦେଖିବାକୁ ମିଳିଛି କେରଳର ପେରଂବରା ଟାଉନରେ । ଏଠାରେ ଅଳିଆ ଆବର୍ଜନା ଏକାଠି କରୁଥିବା ଶେଖର ନାମକ ଜଣେ ୬୦ ବର୍ଷୀୟ ବ୍ୟକ୍ତି ହଠାତ ରାସ୍ତା ଉପରେ ପଡିଯାଇଥିଲେ । ତାଙ୍କର ବ୍ଲଡ ସୁଗାର ଲେବଲ ଲୋ କମ ହୋଇଯାଇଥିଲା । ତାଙ୍କ ନାକ ଏବଂ ମୁହଁରୁ ରକ୍ତ ମଧ୍ୟ ବାହାରୁଥିଲା । ଏପରିକି ତାଙ୍କ ପାଖ ଦେଇ ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେ ଏବଂ ଶେଖରଙ୍କୁ ଦେଖିଥିଲେ ମଧ୍ୟ । କିନ୍ତୁ ପରିତାପର ବିଷୟ ହେଉଛି ନିପା ଭାଇରସ ଭୟରେ କେହି ତାଙ୍କ ସହାୟତା କରିନଥିଲେ ।

ଏହା ପରେ ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ଶେଖର ରାସ୍ତା ଉପରେ ପଡିରହିଥିଲେ । ଶେଷରେ ଆଖପାଖରେ ଥିବା ଦୋକାନୀମାନେ ନିକଟରେ ଥିବା ହସ୍ପିଟାଲକୁ ଖବର ଦେଲା ପରେ ସେଠାକାର କର୍ମଚାରୀମାନେ ଆସି ଶେଖରଙ୍କୁ ସହାୟତା କରିଥିଲେ । ହଠାତ ରାସ୍ତାରେ ପଡିଯାଇଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହି ବାବଦରେ ହସ୍ପିଟାଲ ଡାକ୍ତର ପ୍ରିତମ ଶାମିନ କହିଛନ୍ତି ଯେ, ନିପା ଭାଇରସ ଠାରୁ ସାବଧାନ ରହିବା ଆବଶ୍ୟକ କିନ୍ତୁ ଦୁର୍ଘଟଣାରେ କେହି ଆହତ ହୋଇଗଲେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ଆଣିବା ନିତ୍ୟାନ୍ତ ଆବଶ୍ୟକ । ତେବେ ନିପା ହେଉଛି ମନୁଷ୍ୟ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ଖେଳିଯାଉଥିବା ଏକ ଭୟଙ୍କର ଭାଇରସ ଅଟେ ।