ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର ! ରାସ୍ତା ଓ ପୋଲ ନଥିବାରୁ କାଠଗଣ୍ଡି ସାହାଯ୍ୟରେ ନାଳ ପାରି ହେଉଛନ୍ତି ଆଦିବାସୀ ମଣିଷ

66

କନକ ବ୍ୟୁରୋ : ଗାଁ ଗାଁ ରେ ହେବ ବିକାଶ । ବିକଶିତ ହେବ ଗାଁ । ଆଉ ଏଥିପାଇଁ ସରକାର ଯୋଜନା ପରେ ଯୋଜନା କରିଛନ୍ତି । ଗାଁର ଉନ୍ନତି ସକାଶେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ । ତଥାପି ନା ବଦଳୁଛି ଦୂରବସ୍ଥା ନା ବଦଳୁଛି ଗ୍ରାମାଂଚଳ ମାନଚିତ୍ର । ଏବେ ବି ଅଭିଶପ୍ତ ଜୀବନ ବିତାଉଛନ୍ତି ପାହାଡି ମଣିଷ । ରାସ୍ତା, ପୋଲ ନଥିବାରୁ ଅତି ଦୟନୀୟ ଜୀବନ ବିତାଉଛନ୍ତି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଏଂଟିମୁନି ଗାଁ ବାସିନ୍ଦା ।

ରାୟଗଡା ରାମନାଗୁଡା ବ୍ଲକ ଏଂଟିମୁନି ଗାଁରେ ବସବାସ କରନ୍ତି ୫୦ରୁ ଅଧିକ ଆଦିବାସୀ ପରିବାର । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ତେଣୁ ଦୁଇଟି କାଠ ଗଣ୍ଡି ସାହାଯ୍ୟରେ ନାଳ ପାରି ହୋଇ ଯା’ଆସ କରୁଛନ୍ତି ଲୋକ । ପାଣିରେ ପଶି ବାଇକ୍ ଯାଉଥିବା ବେଳେ ଆପଣମାନେ ଚିନ୍ତା କରନ୍ତୁ ଏଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିରେ କେମିତି ପହଂଚୁଥିବ ୧୦୨ ଓ ୧୦୮ ଆମ୍ବୁଲାନ୍ସ ଭଳି ଜରୁରୀ ସେବା । ଏହି ନାଳ ଉପରେ ପୂର୍ବରୁ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଯିବା ପରେ ଏଠି ବିକାଶ ବାଟବଣା ହୋଇଯାଇଛି ।

ରାସ୍ତା ଓ ପୋଲ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଜନପ୍ରତିନିଧୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନ ଥିବା ଅଭିଯୋଗ କରିଛନ୍ତି । ସେପଟେ ଏ ସମ୍ପର୍କରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ନିଅଂଟିଆ ଅନୁଦାନ ଯୋଗୁଁ ପୋଲ ଓ ରାସ୍ତା କାମ ହୋଇପାରୁନାହିଁ । ତଥାପି ବିକଳ୍ପ ବ୍ୟବସ୍ଥା କରାଯିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ, ଏଂଟିମୁନି ଗାଁର ସମସ୍ୟା ଉପରେ ଯେମିତି କାହାରି ନଜର ପଡିନି ।