ଜାଲ୍ କଂପାନିରେ ଲୁଚାଇଥିଲେ କଳାଧନ

33

କନକ ବ୍ୟୁରୋ: ବିମୁଦ୍ରାକରଣ ପରେ ଲୋକମାନେ ବିଭିନ୍ନ ଜାଲ୍ କଂପାନି ଜରିଆରେ ବିପୁଳ ପରିମାଣର କଳାଧନ ବ୍ୟାଙ୍କରେ ଜମା କରାଇବାରେ ସଫଳ ହୋଇଥିଲେ । ଏବେ ସେଭଳି ଜାଲ୍ କଂପାନିଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବିମୁଦ୍ରାକରଣର କିଛି ଦିନ ପରେ ସରକାରଙ୍କ ପାଇଁ କାମ କରୁଥିବା ବିଭିନ୍ନ ଏଜେନ୍ସି ଏଭଳି ଜାଲ୍ କଂପାନିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଥିବା ବିଷୟରେ ଜାଣିପାରିଥିଲେ ।

ବିମୁଦ୍ରାକରଣ ପରେ ଅଚଳ ହୋଇପଡ଼ିଥିବା ନୋଟଗୁଡ଼ିକୁ ବଦଳାଇ ସେଗୁଡ଼ିକୁ ଧଳା କରିବା ପାଇଁ ଏହି ଜାଲ୍ କଂପାନିଗୁଡ଼ିକୁ ବ୍ୟବହାର କରାଯାଇଥିଲା ।ସରକାରୀ ଏଜେନ୍ସି ଏବଂ ଅଧିକାରୀମାନଙ୍କ ପକ୍ଷରୁ ଯାଞ୍ଚ କରାଯିବା ପରେ ଜାଲ୍ କଂପାନିଗୁଡ଼ିକ ବିଷୟରେ ବହୁତ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା ।

କେତେକ କଂପାନିର ଠିକଣା ଏଭଳି ସ୍ଥାନର ଦିଆଯାଇଥିଲା ଯେଉଁଠାରେ କଂପାନିର ଦୂରର କଥା ମଣିଷ ମଧ୍ୟ ବାସ କରୁନାହାନ୍ତି । ଗୋଟିଏ ଠିକଣାରେ ଏକାଧିକ କଂପାନି ପଞ୍ଜୀକୃତ ହୋଇଥିଲା । ଜାଲ୍ କଂପାନିଗୁଡ଼ିକର କୌଣସି ସମ୍ପତ୍ତି କିମ୍ବା କାରବାର ନାହିଁ । ଜାଲ୍ କମ୍ପାନିଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପାଖାପାଖି ୨ ଲକ୍ଷ ଜାଲ୍ କଂପାନିକୁ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି ।

ବିମୁଦ୍ରାକରଣ ପରେ ସରକାରଙ୍କ ଆଖି ଖୋଲିଯାଇଥିଲା । ମନି ଲଣ୍ଡରିଂ ଏବଂ କଳାଧନ ଲୁଚାଇବା ପାଇଁ ଜାଲ୍ କଂପାନିଗୁଡ଼ିକ କିଭଳି ବିପୁଳ ମାତ୍ରାରେ ବ୍ୟବହାର କରାଯାଇଛି ତାହା ସରକାର ଜାଣିପାରିଥିଲେ । ଏହା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ସେମାନଙ୍କୁ ଜାଲ୍ କଂପାନିଗୁଡ଼ିକର ସନ୍ଧାନ କରିବା ଦାୟିତ୍ୱ ଦିଆଯାଇଥିଲା । ସେମାନେ ଦୁଇ ଲକ୍ଷ ଜାଲ୍ କଂପାନି ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ । ଏବେ ଆହୁରି ଲକ୍ଷେ ପାଖାପାଖି ଜାଲ୍ କଂପାନି ବିରୋଧରେ ତଦନ୍ତ ଜାରି ରହିଛି । ତଦନ୍ତ ବେଳେ ସବୁଠୁ ଅଧିକ ଜାଲ୍ କଂପାନି କୋଲକାତାରେ ଥିବା ଜଣାପଡ଼ିଛି ।