କପି ନ ମିଳିବାରୁ ଆକ୍ରମଣ ! ମାଟ୍ରିକ ପରୀକ୍ଷା ଶେଷ ଦିନରେ ନବରଙ୍ଗପୁରରେ ଅଭାବନୀୟ ଘଟଣା

29

କନକ ବ୍ୟୁରୋ: କପି ନ ମିଳିବାରୁ ବିଦ୍ୟାଳୟ ଉପରକୁ ଆକ୍ରମଣ । ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ପରିକ୍ଷାର୍ଥୀଙ୍କୁ କପି ଯୋଗାଇବାରେ ଅଭିଭାବକ ସାହାଯ୍ୟ କରୁଥିଲେ । ତେବେ ଏଥିରେ ପରୀକ୍ଷା ପରିଚାଳକ ବାରଣ କରିବାରୁ ଉତ୍ୟକ୍ତ ଲୋକେ ବିଦ୍ୟାଳୟ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଦଲବେଡା କନ୍ୟାଶ୍ରମରେ ଏପରି ଘଟଣା ଘଟିଛି ।

ପରୀକ୍ଷାର ଶେଷ ଦିନ ପରିକ୍ଷାର୍ଥୀମାନେ କପି କରିବାକୁ ଚେଷ୍ଟା କରିଥିବା ବେଳେ ଅଭିଭାବକ ମଧ୍ୟ ସାହାଯ୍ୟ କରିଥିଲେ । ଏଥିରେ ପରୀକ୍ଷା ପରିଚାଳକ ବାରଣ କରିବାରୁ ଲୋକେ ତାଙ୍କୁ ଗାଳିଗୁଳଜ କରିବା ସହ ବିଦ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ପରୀକ୍ଷା ସରିଯାଇଥିଲେ ବି ପରିକ୍ଷାର୍ଥୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ପାରିନଥିଲେ । ପରେ ଚନ୍ଦାହାଣ୍ଡି ପୁଲିସ ବିଦ୍ୟାଳୟରେ ପହଂଚି ଲୋକଙ୍କୁ ଘଉଡାଇଥିଲେ ।

ସେପଟେ ଜଗତସିଂହପୁରରେ ବି ସମାନ ଅବସ୍ଥା । ପରୀକ୍ଷାରେ କପି ରୋକିବାକୁ ତାଗିଦ୍ କରୁଥିବା ବୋର୍ଡ ସ୍କ୍ଵାଡଙ୍କୁ ପରୀକ୍ଷାର୍ଥୀମାନେ ମିଳିତ ଭାବେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଏପରିକି ପରୀକ୍ଷା କେନ୍ଦ୍ର ପରିସରରେ ସମସ୍ତ ପରୀକ୍ଷାର୍ଥୀ ହଲ୍ ଛାଡି ସ୍କ୍ଵାଡଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ କାଳିଆବୁଦା ଗାଦିବ୍ରହ୍ମ ହାଇସ୍କୁଲ, ଜପା ପରୀକ୍ଷା କେନ୍ଦ୍ରରେ । ଏରସମା ଥାନା ଆଇଆଇସି ଓ ଜଣେ ଏପିଆର୍ ଫୋର୍ସଙ୍କ ପାଇଁ ବୋର୍ଡ ସ୍କ୍ଵାଡଙ୍କ ଜୀବନ ବଞ୍ଚିଯାଇଥିବା ସୂଚନା ମିଳିଛି । ଏଭଳି ଘଟଣାରେ ବୋର୍ଡ ପକ୍ଷରୁ ବା ସଂପୃକ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ସମସ୍ତଙ୍କୁ ଚକିତ କରିଛି ।