ଏବେବି ଚାଲିଛି ପିସି କାରବାର! ଲାଞ୍ଚ ଅଭ୍ୟାସ ଛାଡି ପାରୁନାହାନ୍ତି ଅଧିକାରୀ। ବିରୋଧୀ କହିଲେ, ପିସିରେ ପେଷି ହେଲେଣି ଜନତା।

162

କନକ ବ୍ୟୁରୋ: ଆଜି ବିଧାନସଭାରେ ଉଠିଲା ପିସି ପ୍ରସଙ୍ଗ । ପଞ୍ଚାୟତ ସ୍ତରରେ ପିସି କାରବାର ବ୍ୟାପିଛି । ବଡ ବଡ କର୍ମଚାରୀ ଓ ଲୋକପ୍ରତିନିଧିଙ୍କୁ ସରକାର ଧରିପାରୁନାହାନ୍ତିି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାରେ ଲୋକ ପିସି କାରବାରରେ ପେଶି ହୋଇଯାଇଛନ୍ତି । ପ୍ରତି କାମରେ ପିସି ମଗାଯାଉଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି ।

ବିଭାଗୀୟ ମନ୍ତ୍ରୀଙ୍କୁ ତାରା ପ୍ରଶ୍ନ କରିଥିଲେ କି , ରାଜ୍ୟରେ ପଞ୍ଚାୟତିରାଜ ପ୍ରଶାସନକୁ ପିସି ମୁକ୍ତ କରିବା ପାଇଁ ଖୋଦ୍ ସରକାର ଘୋଷଣା କରିଥିଲେ । ଯାହାକି ଏକପ୍ରକାରର ଲୋକ ଦେଖାଣିଆ ତଥା ଧୂଆଁବାଣ ଘୋଷଣା । ତେବେ ୨୦୧୨ ପ୍ରାରମ୍ଭରୁ ଅଦ୍ୟାବଧି ଏହି ବିଭାଗର କେତେ ଜଣ ଅଫିସର ଏବଂ କର୍ମଚାରୀ ଲାଂଚ ନେଇ ଧରାପଡିଛନ୍ତି, କେତେ ଜଣ ଲୋକ ପ୍ରତିନିଧି ଗିରଫ ହୋଇଛନ୍ତି ଏବଂ କେତେ ଜଣଙ୍କ ନାଁରେ ଏନେଇ ମାମଲା ରୁଜୁ ହୋଇଛି? ତାହା ଜଣାଇବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଆଜି ଗୃହରେ ଲିଖିତ ପ୍ରଶ୍ନ କରିଥିଲେ ବିରୋଧୀ ତଥା କଂଗ୍ରେସ ବିଧାୟକ ତାରାବାହିନୀ ପତି ।

ତେବେ ବିରୋଧୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ଏହି ବିଭାଗର କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ଲାଂଚ ବା ପିସି କାରବାର ଅଭିଯୋଗ ସରକାରଙ୍କ ନଜରକୁ ଆସିଲେ ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ସରକାର ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ପ୍ରାପ୍ତ ତଥ୍ୟାନୁଯାୟୀ, ଏହି ବିଭାଗର ଅଧିନସ୍ଥ କନ୍ଧମାଳ ଜିଲ୍ଲାରେ ୨୧୨ ପ୍ରାରମ୍ଭରୁ ଅଦ୍ୟାବଧି ପିସି ବା ଲାଂଚ ନେଇ ଜଣେ କର୍ମଚାରୀ ଧରାପଡିଛନ୍ତି ଓ ତାଙ୍କ ନାମରେ ଭିଜିଲାନ୍ସ ବିଭାଗ ତରଫରୁ ମାମଲା ରୁଜୁ କରାଯାଇଛି । ସେହିଭଳି ନବରଙ୍ଗପୁର ଜିଲ୍ଲାର ଜଣେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାଯାଇ ବିଭାଗୀୟ କୋର୍ଟରେ ବିଚାରଧିନ ଅଛି ।  ଅନୁଗୁଳର ଗ୍ରାମପଂଚାୟତ ବୈଷୟିକ ସହାୟକ ଲାଂଚ ନେଇ ଧରାପଡିଛନ୍ତି ଏବଂ ତାଙ୍କ ନାଁରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ମାମଲା ରୁଜୁ କରାଯାଇଛି । ବାଲେଶ୍ୱରରେ ଅଦ୍ୟାବଧି ୪ ଜଣ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜଣେ ମୁଖ୍ୟ କିରାଣୀ ଓ ଜଣେ ଏସଇଓ ଲାଂଚ ନେବା ସମୟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ କରାଯାଇ ମାମଲା ମଧ୍ୟ ରୁଜୁ ହୋଇଛି ।

ସେହିଭଳି ପୁରୀ ଜିଲ୍ଲାରେ ଜଣେ କର୍ମଚାରୀ ଏବଂ ୨ ଜଣ ଲୋକପ୍ରତିନିଧି ଲାଂଚ ନେଇ ଧରାପଡିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ୮ଟି ମାମଲା ରୁଜୁ ହୋଇଛି । ସୁନ୍ଦରଗଡରେ ୨ ସରକାରୀ କର୍ମଚାରୀ ଓ ଜଣେ ଲୋକପ୍ରତିନିଧି ଲାଂଚ ନେଇ ଧରାପଡିଛନ୍ତି ଏବଂ ସେମାନଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଗଜପତି ଜିଲ୍ଲାରେ ଜଣେ ଠିକା କର୍ମଚାରୀ ଲାଂଚ କାରବାରରେ ସଂପୃକ୍ତ ଥିବା ପ୍ରମାଣିତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ସେହିଭଳି ଢେଙ୍କାନାଳରେ ଅଦ୍ୟାବଧି ୯ ଜଣ କର୍ମଚାରୀ ଲାଂଚ ନେଇ ଧରାପଡିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ।

ଅନ୍ୟପଟେ, ପ୍ରତି ସରକାରୀ କାମର ପିସି ମାଧ୍ୟମ ପାଲଟିଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ସେ କହିଛନ୍ତି, ଓଡିଶାରେ ବ୍ଲକ୍ ସ୍ତରରେ ୪୦ ପ୍ରତିଶତ ପିସି କାରବାର ଚାଲିଛି । ଏବଂ ପିସି କାରବାର କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ମୋଟ୍ ଭାବରେ କହିଲେ ପିସି ସରକାରୀ କାମରେ ଏକ ଜରିଆ ପାଲଟିଯାଇଛି । ତେଣୁ ଏଭଳି କାମ ଯିଏ ବି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ସେପଟେ ପିସି ନେଇ ଯାହା ବି ସରକାରୀ ତଥ୍ୟ ଅଛି ଦିଆଯାଇଛି । ତାହା ଠିକ ଭାବରେ ସମସ୍ତଙ୍କୁ ଦିଆଯାଉଛି ବୋଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ବିରୋଧୀମାନେ ଯେଉଁସବୁ ଅଭିଯୋଗ ବା ପ୍ରସଙ୍ଗ ଆଣୁଛନ୍ତି ତାକୁ ବିଧାନସଭାରେ ଆଲୋଚନା କରୁବାକୁ ଆଦୌ ପ୍ରସ୍ତୁତ ହେଉନାହାନ୍ତି ବରଂ ହୋହାଲ୍ଲା କରି ଗୃହକୁ ବାରମ୍ବାର ଅଚଳ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।