କିିଏ ଦେବ ଶ୍ରେୟାକୁ ନୂଆ ପରିଚୟ ? ମା’ ଛେଉଣ୍ଡ ଶିଶୁକୁ ଆପଣାଇବାକୁ ଆବେଦନ କଲେ ଲୋକେ

4

 

କନକ ବ୍ୟୁରୋ : ମା ଛେଉଣ୍ଡ ଶ୍ରେୟା କାହାର ହେବ । କିଏ ଆପଣାଇବ ଶ୍ରେୟାକୁ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏସବୁ ଭିତରେ ଶ୍ରେୟାକୁ ନୁଆ ପରିଚୟ ଦେବାକୁ ଏବେ ଅଂଟା ଭିଡିଛି ପୋଲିସ । ମାଆର ପରିଚୟ ପାଇବା ପାଇଁ ଏବେ ପୋଷ୍ଟର ଜାରି କରିଛି ଜୟପୁର ପୋଲିସ । ଶ୍ରେୟାର ପରିଚୟ ମିଳିନଥିବାରୁ ଏହି କେସଟି ସମସ୍ତଙ୍କ ଠାରୁ ଅଲଗା ବୋଲି କହିଛନ୍ତି ଶିଶୁ ମଙ୍ଗଳ ଅଧିକାରୀ ।

ତାରିଖ ଜୁଲାଇ ୧୦ । ଝିପ ଝିପ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ କିଟିମିଟି ଅନ୍ଧାର । ତେବେ ଏହି ଦିନ ଜଣେ ଶିଶୁ ମା ଡାକିବା ପୂର୍ବରୁ ସବୁଦିନ ପାଇଁ ମା ଛେଉଣ୍ଡ ହୋଇଯାଇଥିଲା । ମା’ର ସେହ୍ନରୁ ବଞ୍ଚିତ ହୋଇଥିଲା ୧୦ ମାସର ନିଷ୍ପାପ ଶିଶୁ କନ୍ୟା । ଜଙ୍ଗଲରେ ୧୦ ମାସର ଶିଶୁ କନ୍ୟା ଆଗରେ ମା’କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୃବୁର୍ତ୍ତ । ତେବେ ଘଟଣାସ୍ଥଳରେ ଛାଡି ଦେଇ ଯାଇଥିଲେ ନିଷ୍ପାପ ଶିଶୁ କନ୍ୟାକୁ ।

ପୂରା ରାତି ଜଙ୍ଗଲ ଭିତରେ ମା କୁ ଖୋଜି ବୁଲିଥିଲା କିନ୍ତୁ ପାଇ ନଥିଲା । ତେବେ ୧୧ ତାରିଖ ସକାଳେ ସେହି ବାଟ ଦେଇ ଜଙ୍ଗଲକୁ ଯାଉଥିବା ଦୁଇ ଜଣ ଚାଷୀ ଜଙ୍ଗଲ ଭିତରେ କାନ୍ଦୁଥିବା ଶିଶୁର ପାଟି ଶୁଣି ଗାଁ ଲୋକଙ୍କୁ ଖବର ଦେଇଥିଲେ । ପରେ ଶିଶୁଟିକୁ ଅଗ୍ନିଶମ ବିଭାଗ ଉଦ୍ଧାର କରି କୋରାପୁଟ ଓ ପରେ କଟକ ମେଡିକାଲକୁ ପଠାଯାଇଥିଲା । କିନ୍ତୁ ଏହାପରେ ବଦଳି ଯାଇଥିଲା ଶ୍ରେୟାର ଭାଗ୍ୟ । ସେଠାରୁ ଶ୍ରେୟା ସୁସ୍ଥ ହେବା ପରେ ତାକୁ କୋରାପୁଟ ଆଇଡିଏସରେ ରଖା ଯାଇଥିଲା ।

ଏହା ଭିତରେ ୨ ମାସ ବିତି ଯାଇଛି । ଶ୍ରେୟା ମଧ୍ୟ ଚାଲିବା ଆରମ୍ଭ କଲାଣି । ତେବେ ଏହି ଆଇଡିଏସ୍ କେନ୍ଦ୍ରରେ ଏବେ ଶ୍ରେୟା ସମସ୍ତଙ୍କର ଲାଡଲୀ ବନି ସାରିଛି । ଖିଲିଖିଲି ହସ ମୁହଁ ସାଙ୍ଗକୁ ଥଙ୍ଗଥଙ୍ଗ କଥା କହି ସମସ୍ତଙ୍କୁ ନିଜର କରୁଛି । ଏପରିକି ଜଙ୍ଗଲ ମଧ୍ୟରେ ହରାଇଥିବା ମା’ର ସ୍ନେହ ଏଠାରେ ରହୁଥିବା ଅନ୍ୟ ବଡ ଝିଅଙ୍କ ଠାରୁ ପାଉଛି । ତା ଛଡା ଶ୍ରେୟାର ସେବା କରୁଥିବା ଆୟା ମଧ୍ୟ ତାକୁ ଗୋଟିଏ କ୍ଷଣ ଛାଡିବାକୁ ନାରାଜ ।

କିନ୍ତୁ ଏବେ ବଦଳିବାକୁ ଯାଉଛି ଶ୍ରେୟାର ପରିଚୟ । ଶ୍ରେୟାକୁ ଆପଣାଇବାକୁ ଅନେକ ଲୋକ ଏବେ ଆବେଦନ କରିଛନ୍ତି । ବର୍ତମାନ ସେଂଟ୍ରାଲ ଏଡ଼ପସନ ରିସୋର୍ସ ଏଜେନସି ଯାହା ନିଷ୍ପତି ନେବ , ତା ଉପରେ ସମସ୍ତଙ୍କ ନଜର ରହିଛି । ଶ୍ରେୟାକୁ କୋଳକୁ ନେବା ପାଇଁ ଆବେଦନ ଅଧିକା ରହିଛି ତେବେ ନିୟମ ଅନୁସାରେ ସବୁକିଛି ହେବ ବୋଲି କହିଛନ୍ତି ଶିଶୁ ମଙ୍ଗଳ ଅଧିକାରୀ ।

 

Comments are closed.