ରାଉରକେଲାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ! ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ପୋଲିସ ଗାଡି ଭଙ୍ଗାରୁଜା

37

କନକ ବ୍ୟୁରୋ: ପୋଲିସ ଜନତା ଖଣ୍ଡଯୁଦ୍ଧ । ଦୁଇଟି ପୋଲିସ ଭ୍ୟାନକୁ ବାଡେଇ ଗୁଣ୍ଡ କରିବା ସହ ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ଉତ୍ୟକ୍ତ ଲୋକେ । ଲୋକଙ୍କ ଏଭଳି ଲଙ୍କାକାଣ୍ଡର ଚିତ୍ର ସାମ୍ନାକୁ ଆସିଛି ରାଉରକେଲାରୁ । ରିଂରୋଡର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜିତ ହୋଇପଡିଥିବା ଲୋକେ ଆଜି ରାସ୍ତାରୋକ କରିଥିଲେ । ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ଲୋକଙ୍କ ରାଗ ପଂଚମରେ ପହଂଚି ଯାଇଥିଲା । ପୋଲିସ ଗାଡି ଉପରକୁ ଇଟା ଓ ବଡବଡ ପଥରଖଣ୍ଡରେ ଆକ୍ରମଣ କରିବା ସହ ପୋଲିସ କର୍ମଚାରୀଙ୍କୁ ଗୋଡାଇ ପିଟିଥିଲେ । ଗତକାଲି ଏକ ଏର୍ଟିଗା କାର ସାଇକେଲରେ ଯାଉଥିବା ଜଣେ ଛାତ୍ର ଓ ସ୍କୁଟିରେ ଥିବା ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା ।

ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ । ପରେ ଛାତ୍ର ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଲୋକଙ୍କ ଭିତରେ ଥିବା ଅସନ୍ତୋଷ ଏଭଳି ଉଗ୍ରରୂପ ଧାରଣ କରିଛି । ତେବେ ଘଟଣାସ୍ଥଳକୁ ଅଧିକ ପୋଲିସ ଫୋର୍ସ ପଠାଯାଇଛି ।