ଛାଡ଼ିଗଲା ବର୍ଷା ହେଲେ ପ୍ରଭାବ ରହିଗଲା : ପାଣି ଭିତରେ ବୁଡି ରହି ଉଜୁଛି ଯାଇଛି ପନିପରିବା ଚାଷ

32

କନକ ବ୍ୟୁରୋ : ବର୍ଷା କମିଯିବା ପରେ ଏବେ ବନ୍ୟାର ଆଶଙ୍କା ନାହିଁ । ହେଲେ ବନ୍ୟା ଛାଡି ଯାଇଥିବା ପାଣି, ପ୍ରଭାବିତ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବି ଲୋକ ପାଣି ଘେରରେ ଥିବା ବେଳେ ଅନେକ ସ୍ଥାନରେ ବର୍ଷା ଯୋଗୁଁ ଚାଷ ଉଜୁଡି ଯାଇଛି । ଶହ ଶହ ଏକର ତଳି ପାଣି ଭିତରେ ବୁଡି ରହିବା ସହ ପନିପରିବା ଚାଷ ଉଜୁଡି ଯାଇଛି । ଏଭଳି ସ୍ଥିତିରେ ପୁଣି ଥରେ ସ୍ୱାଭାବିକ୍ ଅବସ୍ଥା ଫେରିବା ସତେ ଯେମିତି ପ୍ରଭବାତି ଲୋକଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି ।

ବର୍ଷା ଛାଡିଛି, ବନ୍ୟା ଆଶଙ୍କା ଟଳିଛି, ହେଲେ ଲଗାଣ ବର୍ଷା ଛାଡି ଯାଇଥିବା ପାଣି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । କେଉଁଠି ଏବେ ବି ଲୋକ ପାଣି ଘେରରେ ଅଛନ୍ତି, ତ ଆଉ କେଉଁଠି ଉଜୁଡି ଯାଇଛି ଚାଷୀଙ୍କ ଫସଲ । ବାଙ୍କୀରେ ବ୍ଲକର ୭ଟି ପଂଚାୟତର ପ୍ରାୟ ୨୦ ହଜାର ଲୋକ ଏବେ ବି ପାଣି ଘେରରେ ଦିନ କାଟୁଛନ୍ତି ।

affected area after flood situation

ଏପଟେ ନିଆଳିରେ ବି ସମାନ ଅବସ୍ଥା । ଚାଷ ଜମିରେ ମାଡି ଯାଇଛି ବନ୍ୟା ପାଣି । ତଳି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପନିପରିବା ଚାଷ ମଧ୍ୟ ଉଜୁଡି ଯାଇଛି । ଅସ୍ତରଙ୍ଗ ପାଇଁ ଚିନ୍ତା ବଢ଼ାଇଛି ଦେବୀ ନଦୀର ପାଣି । ଅଧନ୍ତରିଆ ହୋଇପଡ଼ିଥିବା ବନ୍ଧ ଲୋକଙ୍କ ନିଦ ହଜାଇ ଦେଇଛି । ଏସବୁ ଭିତରେ ଆଂଠୁଏ ପାଣି ଭିତରେ ଯାତାୟତ କରୁଛନ୍ତି ଲୋକେ ।

ବଡ କଥା ହେଉଛି, ବନ୍ୟା ସ୍ଥିତି ଯୋଗୁଁ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି ଓଡ଼ିଶା । ରାଜ୍ୟରେ ୩ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ୫ ହଜାର ଘର ଆଂଶିକ ଭାବରେ ଭାଙ୍ଗି ଯାଇଛି । ୫୦ଟି ରିଲିଫ୍ କେନ୍ଦ୍ରରେ ୧୨ ହଜାର ଲୋକଙ୍କୁ ଥଇଥାନ କରାଯାଇଛି । ବନ୍ୟା ସମୟରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ସେଥିରୁ ୬ ଜଣ ବୁଡି, ୨ଜଣ ସାପ କାମୁଡ଼ା, ଆଉ କିଛି ଲୋକ କାନ୍ଥ ପଡ଼ି ମୃତ୍ୟୁବରଣ କରିଛନ୍ତି ।

ଏପଟେ ଚାଷ ନଷ୍ଟ ହେବା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ବିଭନ୍ନ ସ୍ଥାନରେ ବର୍ଷା ଯୋଗୁଁ ତଳି ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ରିହାତି ଦରରେ ବିହନ ଯୋଗଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ । ବର୍ଷା ଓ ବନ୍ୟା ଆଶଙ୍କା ଟଳିଯିବା ପରେ ପ୍ରଭାବିତ ଲୋକଙ୍କ ସମସ୍ୟାର ସମାଧାନ କରିବା ଏବେ ପ୍ରଶାସନ ପାଇଁ, ସବୁଠାରୁ ବଡ ଚ୍ୟାଲେଂଜ୍ ପାଲଟିଛି ।

ସେପଟେ ସମ୍ବଲପୁରରେ ବାଦଲଫଟା ବର୍ଷା ଫଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ସମ୍ବଲପୁର ନୁହେଁ ଜମାଦାରପାଲିଠାରେ ୧୦ଟି ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ନବୀନ । ଆଗାମୀ ୨୪ ଘଂଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାଲାଗି ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଜି ସୁବର୍ଣ୍ଣପୁରରେ ବୃକ୍ଷ ରୋପଣ ସହ ସବୁଜ ମହାନଦୀ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ଜୀବନ ରେଖା ମହାନଦୀର ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ସବୁଜ ମହାନଦୀ ମିଶନର ପରିକଳ୍ପନା କରାଯାଇଛି । ଚଳିତବର୍ଷ ସବୁଜ ମହାନଦୀ ମିଶନ ମାଧ୍ୟମରେ ମହାନଦୀ ଏବଂ ଏହାର ଉପନଦୀ ତେଲ ଓ ଇବ ଉପକୂଳ ଅଂଚଳର ଉଭୟ ପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏଥିସହ ରାଜ୍ୟର ପ୍ରମୁଖ ନଦୀ ଏବଂ ଉପନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ବର୍ଷଠାରୁ ପର୍ଯ୍ୟାୟକ୍ରମେ ବନୀକରଣ କରାଯିବ । ୫ ବର୍ଷରେ ରାଜ୍ୟରେ ସବୁ ପ୍ରମୁଖ ନଦୀଗୁଡିକର ଉଭୟ ପାଶ୍ୱର୍ରେ ୪୧ ହଜାର ହେକ୍ଟରରେ ଏବଂ ୫ ହଜାର କୋଟି ଟଙ୍କାରେ ୫ କୋଟିରୁ ଅଧିକ ବୃକ୍ଷ ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।