କ୍ରୀଡ଼ା ଅଧିକାରୀଙ୍କୁ ଭୁଲରେ ତାଲା ପକାଇଦେଲେ ପିଅନ୍ : ବନ୍ଦ କୋଠରୀରେ ଏକ ଘଂଟା ରହିବା ପରେ ଖୋଲିଲା ତାଲା

22

କନକ ବ୍ୟୁରୋ : ଢ଼େଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା । କୀଡ଼ା ଅଧିକାରୀ ଜଣକ ଭିତରେ ଥିବା ସମୟରେ ପିଅନ୍ ଭୁଲରେ ତାଙ୍କୁ ତାଲା ପକାଇ ଦେଇଥିଲେ । ଆଉ ପ୍ରାୟ ଏକ ଘଂଟା ଭିତରେ ବନ୍ଦ ରହିବା ପରେ ତାଲି ଖୋଲିଥିଲା । ଆଉ କ୍ରୀଡ଼ା ଅଧିକାରୀ ଜଣକ ବାହାରକୁ ଆସିଥିଲେ । ସୂଚନା ଅନୁସାରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ କ୍ରୀଡ଼ା ଅଧିକାରୀ ଜଣକ ଅନ୍ୟ ଏକ କୋଠରୀରେ ଥିଲେ, ଯାହା ପିଅନ ଜଣକ ଜାଣିପାରିନଥିଲେ । ଆଉ ବାହାର ପଟୁ ଭୁଲରେ କବାଟ ବନ୍ଦ କରିଦେଇଥିଲେ ।

ତେବେ ଏନେଇ କ୍ରୀଡ଼ା ଅଧିକାରୀ ଜଣକ କହିଛନ୍ତି ଏଥିରେ ପିଅନଙ୍କର କୌଣସି ଭୁଲ ନାହିଁ, କି ସେ ଜାଣିଶୁଣି କିଛି କରିନାହାନ୍ତି । ଅଫିସରେ ଜରୁରୀ କାଗଜପତ୍ର ଥାଏ । ଆଉ ସେସବୁର ଦାୟିତ୍ୱ ରଖିବା ଜରୁରୀ । ପିଅନଙ୍କ ଉପରେ ଦାୟିତ୍ୱ ଥିବାରୁ ସେ ତାଙ୍କ କାମ କରିଛନ୍ତି । ଅଫିସକୁ କାଳେ କିଏ ପଶିଯିବ ବୋଲି ପିଅନ କବାଟ ବନ୍ଦ କରିଥିଲେ ବୋଲି କହିଛନ୍ତି । ଆଉ ଡାକିବା ପରେ ସେ କବାଟ ଖୋଲିଥିଲେ । ଜାଣିଶୁଣି ସେ ଏପରି କିଛି କରିନାହାନ୍ତି ବୋଲି ମଧ୍ୟ କ୍ରୀଡ଼ା ଅଧିକାରୀ ଜଣକ କହିଛନ୍ତି ।