ପିସି କାହାର, ଭାଗ କେତେ ! ପର୍ଦ୍ଦାଫାସ୍ କରିଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ

92

କନକ ବ୍ୟୁରୋ : ବ୍ଲକରେ କିଭଳି ପିସି ବା ପର୍ସେଂଟ୍ କାରବାର ଚାଲେ? କେଉଁ ମାନଙ୍କ ଭାଗରେ ପିସି ପଡ଼େ? କିଏ ଏମାନଙ୍କଠାରୁ ପିସି ନିଅନ୍ତି ? ଏବେ ତା ସଂପର୍କରେ ପର୍ଦ୍ଦାଫାସ୍ କରିଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ ବା ପିଇଓ । ପିସି ଦୁର୍ନୀତିରେ ଏକାଧିକ ଅଧିକାରୀ ଓ ନେତା ଜଡ଼ିତ ଥିବା ବେଳେ ଏବେ କେବଳ ପିଇଓମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ପଂଚାୟତ ନିର୍ବାହୀ ଅଧିକାରୀ ସଂଘ । ପିଇଓମାନଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯିବା ବନ୍ଦ କରାନଗଲେ, ସେମାନେ ଆଉ ଗ୍ରାମୀଣ ଆବାସ ଯୋଜନାରେ ଲୋକଙ୍କୁ ଘର ତିଆରିରେ ସାହଯ୍ୟ କରିବେ ନାହିଁ ବୋଲି ଧମକ ଦେଇଛନ୍ତି ।

ନଜର ପକାନ୍ତୁ ବ୍ଲକ୍ ସ୍ତରରେ କେମିତି ହୁଏ ପିସି କାରବାର?

୧-ବ୍ଲକ୍ ଓ ଗାଁସ୍ତରରେ ଜେଇ/ଜିପିଟିଏଙ୍କ ନିଜ ନାଁରେ କାର୍ଯ୍ୟାଦେଶ ନିଅନ୍ତି

୨- ଜେଇ/ଜିପିଟିଏ ନିଜ କାମର ନିଜେ ମାପ କରି ବିଲ୍ ଉଠାନ୍ତି

୩- ନେତାଙ୍କ କଥାରେ ଜେଇଙ୍କ ନାଁରେ ଦଳୀୟ କର୍ମୀଙ୍କୁ କାମଦିଆଯାଏ

୪- ଏଭଳି ଭାବେ କାମ ବାଂଟି କର୍ମୀ ପୋଷାଯାଏ

୫-ଟାର୍ଗେଟ୍ ପୂରଣ ପାଇଁ ବିଡିଓମାନେ ଅଧା ତିଆରି ଘର ଫଟୋ ଛାଡ଼ନ୍ତି

ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଦେଖନ୍ତୁ-କାହା ପାଖକୁ ଯାଏ କେତେ ପ୍ରତିଶତ ପିସି ।

କନିଷ୍ଠ ଯନ୍ତ୍ରୀ – ୦୩ ପ୍ରତିଶତ

ସହକାରୀ ଯନ୍ତ୍ରୀ -୦୪ ପ୍ରତିଶତ

ବିଡିଓ -୦୪ ପ୍ରତିଶତ

ଅନ୍ୟାନ୍ୟ ବାଟରେ-୦୨ ପ୍ରତିଶତ

ଅର୍ଥାତ୍ ୧୩ ପ୍ରତିଶତ ପିସି ବ୍ୟବସ୍ଥାରେ ହୁଏ ଜନକଲ୍ୟାଣ ଯୋଜନାର ରୁପାୟନ । ଧରି ନିଅନ୍ତୁ ବ୍ଲକ୍ ସ୍ତର ଗୋଟିଏ କାମ ପାଇଁ କୋଟିଏ କୋଟି ଟଙ୍କା ଆସିଛି, ଦେଖନ୍ତୁ କାହା ଭାଗରେ କେତେ ଟଙ୍କା ପଡୁଛି ।

କନିଷ୍ଠ ଯନ୍ତ୍ରୀଙ୍କ ଭାଗରେ-୩ ଲକ୍ଷ ଟଙ୍କା

ସହକାରୀ ଯନ୍ତ୍ରୀ – ୪ଲକ୍ଷ ଟଙ୍କା

ବିଡିଓ – ୪ଲକ୍ଷ ଟଙ୍କା

ଅନ୍ୟାନ୍ୟ ବାଟରେ ଯାଏ ୨ଲକ୍ଷ ଟଙ୍କା

ମୋଟ୍ ଉପରେ ୧୩ ଲକ୍ଷ ଟଙ୍କା ପିସି ଆକାରରେ ଯାଏ ।

ବ୍ଲକସ୍ତରରେ ପିସି କାରବାର ଏକ ମାରାତ୍ମକ ବ୍ୟାଧି ପରି ଚାରିଆଡ଼େ ବ୍ୟାପିଯାଇଛି । ଲକ୍ଷେ ଟଙ୍କା ଆସିଲେ, ସେଥିରେ ପର୍ସେଟେଂଜ୍ ବା ପିସିରେ ଚାଲିଯାଉଛି ପ୍ରାୟ ୧୩ ହଜାର ଟଙ୍କା । ଦୁଃଖର କଥା ହେଉଛି, ଆମ ନେତା ଓ ସରକାରୀ ଅଫିସର ହିଁ ଏଥିପାଇଁ ଦାୟୀ ।