ପ୍ରଥମ ପେନସନ୍‌ ପାଇଁ ଯିବାକୁ ପଡ଼ିବ ନାହିଁ ବ୍ୟାଙ୍କ !

60

କନକ ବ୍ୟୁରୋ : ଅବସର ନେଉଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରଥମ ମାସର ଦରମା ପାଇବା ପାଇଁ ଆଉ ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଅବସର ସମୟରେ କର୍ମଚାରୀମାନଙ୍କୁ ପେନସନ୍‌ ଦେୟ ଆଦେଶ ବା ପେନସନ୍‌ ପେମେଣ୍ଟ ଅର୍ଡର (ପିପିଓ) ପ୍ରଦାନ କରାଯିବ । ସମସ୍ତ ମନ୍ତ୍ରାଳୟକୁ ଏ ନେଇ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶନାମା ଦିଆଯାଇଛି । ଫଳରେ ପ୍ରଥମ ପେନସନକୁ ସକ୍ରିୟ କରିବା ଲାଗି ଅବସରପ୍ରାପ୍ତ କର୍ମଚାରୀଙ୍କୁ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି ।

କେନ୍ଦ୍ରୀୟ ପେନସନ୍‌ ଆକାଉଣ୍ଟିଂ କାର୍ୟ୍ୟାଳୟ ବ୍ୟାଙ୍କର ପିପିଓ ପାଇବା ପରେ ପେନସନ୍‌ ଭୋଗୀଙ୍କୁ ତାଙ୍କ କପି ଅବସର ସମୟରେ ହସ୍ତାନ୍ତର କରିବେ । ତେବେ ଯେଉଁ କର୍ମଚାରୀମାନେ ମୁଖ୍ୟାଳୟଠାରୁ ଦୂରରେ ଅବସ୍ଥାପିତ ଅଛନ୍ତି ଏବଂ ବ୍ୟାଙ୍କରୁ ପିପିଓ ସଂଗ୍ରହ କରିବା ସେମାନଙ୍କ ପାଇଁ ସୁବିଧାଜନକ ହେବ ବୋଲି ଭାବନ୍ତି ତାହେଲେ ସେମାନେ ପେନ୍‌ସନ୍‌ ପେପର ଦାଖଲ କରିବା ସମୟରେ ଏ ସଂକ୍ରାନ୍ତରେ ବିଭାଗକୁ ଅବଗତ କରାଇବେ ।