ଏଣିକି ଜରି ଧରିଲେ ଦେବେ ଜରିମାନା । ଖାଉଟି, ଦୋକାନୀ, ହୋଟେଲ ମାଲିକ କେହି ପଡିବେନି ବାଦ୍

ଭୁବନେଶ୍ୱରବାସୀଙ୍କ ପାଇଁ ବଡ ଖବର । ଏଣିକି ପଲିଥିନ ବ୍ୟବହାର କଲେ ଗଣିବେ ତଣ୍ଡ, ବିଏମସି ବୈଠକରେ ହେଲା ବଡ ନିଷ୍ପତି । ଅଭିଯୋଗ ପାଇଁ ଫୋନ ନମ୍ବର ଜାରି କଲା ବିଏମସି 

270

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନର ଆଜି କଣ୍ଟ ପୁରିଛି  । ଏଣିକି ପ୍ଲାଷ୍ଟିକ ବ୍ୟବହାର କଲେ ହେବ ଦଣ୍ଡବିଧାନ ।  ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ପଲିଥିନ ବ୍ୟାନ ଲାଗି କଂଟ ପୁରିବା ପରେ ଏଣିକି ପଲିଥିନ ବିକ୍ରି କଲେ ସଂପୃକ୍ତ ଦୋକାନୀ ଓ କଂପାନୀ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ନିର୍ଦ୍ଦେଶକ  । ଛୋଟ ଛୋଟ ଦୋକାନୀ ଯଦି ପଲିଥିନ ବିକ୍ରି କରନ୍ତି ତେବେ ୩ରୁ ୭ହଜାର ଟଙ୍କାର ଜରିମାନା ଆଦାୟ କରିବା ପାଇଁ ସୁନିସିପାଲିଟି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପରିବେଶ ବିଭାଗ  ।

ପ୍ଲାଷ୍ଟିକ ବ୍ୟାନ ନେଇ ଭୁବନେଶ୍ୱର ମହାନଗର ନିଗମ ବୈଠକରେ ପ୍ଲାଷ୍ଟିକ କଟକଣା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ନିଷିଦ୍ଧ ପଲିଥିନ ବ୍ୟବହାର କଲେ ଖାଉଟିଙ୍କୁ ମଧ୍ୟ ଜରିମାନା ଦେବାକୁ ପଡିବ ।  ପ୍ରଥମ ଥର ଧରାପଡିଲେ ୨୦୦ ଟଙ୍କା, ଦ୍ୱିତୀୟ ଥର ଧରାପଡିଲେ ୫୦୦ ଟଙ୍କା ଓ ତୃତୀୟ ଥର ଜରି ବ୍ୟବହାର କରୁଥିବା ବେଳେ ଧରାପଡିଲେ ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ଏହାପରେ ପୁଣି ଏହି ନିଷିଦ୍ଧ ସାମଗ୍ରୀ ବ୍ୟବହାର କଲେ ବ୍ୟବହାରକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବ ବିଏମସି ।

ସେହିଭଳି ଦୋକାନୀ ତଥା ରାସ୍ତାକଡ ଉଠା ଦୋକାନୀମାନେ ପଲିଥିନ ବ୍ୟବହାର କଲେ ସେମାନଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡିବ ।  ପ୍ରଥମ ଥର ଭୁଲ କଲେ ୫୦୦ ଟଙ୍କା, ଦ୍ୱିତୀୟ ଥର ପାଇଁ ୧୦୦୦ ଏବଂ ତୃତୀୟ ଥର ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ୨୦୦୦ଟଙ୍କା ଫାଇନ୍ ଦେବାକୁ ପଡିବ । ପରବର୍ତୀ ସମୟରେ ଧରାପଡିଲେ ଏହି ଦୋକାନୀଙ୍କ ବିରୋଧରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହେବ । ସେହି ପରି ଛୋଟ ଛୋଟ ହୋଟେଲ- ରେଷ୍ଟୁରାଂଟ ମଧ୍ୟ ଏଥିରୁ  ବାଦ ପଡିବେ ନାହିଁ । ପ୍ଲାଷ୍ଟିକ ବ୍ୟାନ ପରେ ଯଦି ଏହାର ବ୍ୟବହାର କରୁଥାନ୍ତି ତେବେ ଯଥାକ୍ରମେ ୧୦୦୦, ୨୦୦୦ ଓ ୫୦୦୦ ଟଙ୍କା ଫାଇନ ଦେବେ । ଏହାପରେ ଯଦି ନିୟମ ନ ମାନନ୍ତି ତେବେ ତାଙ୍କର ଦୋକାନର ଲାଇସେନ୍ସ ରଦ୍ଦ କରାଯିବ ।

ଅନ୍ୟପଟେ ଷ୍ଟାର କାଟାଗୋରୀ ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟରେ ଯଦି ନିୟମ ଭାଙ୍ଗନ୍ତି ତେବେ ଯଥାକ୍ରମେ ୨୦୦୦, ୧୦,୦୦୦ ଓ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିବ ବିଏମସି । ଏହାପରେ ହୋଟେଲ କର୍ତ୍ତୃପକ୍ଷ ନିୟମ ଭାଙ୍ଗନ୍ତି ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଫୌଜଦାରୀ ମାମଲା ରୁଜୁ କରାଯିବ । ସେହିଭଳି ଏହି ସର୍ମ୍ପକିତ ଅଭିଯୋଗ ପାଇଁ ମଧ୍ୟ ଫୋନ ଓ ହ୍ୱାଟସଆପ ନମ୍ବର ଜାରି କରିଛି ବିଏମସି ।ଅଭିଯୋଗକାରୀ ମାନେ ୧୮୦୦୩୪୫୦୦୬୧ ନିଶ୍ୁଳ୍କ ଫୋନ ନମ୍ବରରେ ନିଜର ଅଭିଯୋଗ ଜଣାଇପାରିବେ । ସେହିଭଳି ନିଜର ଅଭିଯୋଗ ୮୫୯୯୦୭୧୯୦୦ ହ୍ୱାଟସଆପ ନମ୍ବରରେ ମଧ୍ୟ ପଠାଇପାରିବେ ବୋଲି ବିଏମସି ବୈଠକରେ ନିଷ୍ପତି ନିଆଯାଇଛି ।