ବିଜ୍ଞାନ କ୍ଷେତ୍ରରେ ନୂଆ ମାଇଲଖୁଂଟ ! ମାତ୍ର ୧୦ ସେକେଣ୍ଡରେ କ୍ୟାନ୍ସରକୁ ଚିହ୍ନଟ କରିବ ଏହି ପେନ୍

49

କନକ ବ୍ୟୁରୋ : କ୍ୟାନ୍ସର୍ ନାଁ ଶୁଣିଲେ ସମସ୍ତେ ଡରି ଯାଆନ୍ତି । କାରଣ ଅତ୍ୟନ୍ତ ଭୟଙ୍କର ତଥା ମାରାତ୍ମକ ରୋଗ ହେଉଛି କ୍ୟାନ୍ସର । କିନ୍ତୁ ଯଦି କୁହାଯାଏ ଏହି ବଡ ରୋଗକୁ ଚିହ୍ନଟ କରିପାରିବ ମାତ୍ର ଗୋଟିଏ ଛୋଟ ପେନ୍ ତେବେ ଆପଣ ନିଶ୍ଚୟ ଆଶ୍ଚଯ୍ୟ ହେବେ । ହେଲେ ଆଶ୍ଚଯ୍ୟ ଲାଗୁଥିବା ଏହି ଘଟଣାଟି ସତ । ମାତ୍ର ୧୦ସେକେଣ୍ଡରେ କ୍ୟାନ୍ସର ପରି ରୋଗକୁ ଚିହ୍ନଟ କରିବାରେ ସକ୍ଷମ ଏହି ପେନ୍ । ଏହି ପେନକୁ ଉଦ୍ଭାବନ କରିଛନ୍ତି ଟେକ୍ସସ୍ ୟୁନିଭର୍ସିଟିର ବୈଜ୍ଞାନିକ ।

କେମିତି କାମ କରିଥାଏ ଏହି ପେନ୍ :
ଏହି ପେନକୁ ଶରୀରର ସେହି ସ୍ଥାନରେ ରଖାଯାଏ ଯେଉଁଠି କ୍ୟାନ୍ସର ହେବାର ସମ୍ଭାବନା ହୋଇଥାଏ । ପେନରୁ ପାଣିର ଛୋଟ ଏକ ବୁନ୍ଦା ବାହାରିଥାଏ । ଏହା ପରେ ଜୀବିତ କୋଷମାନଙ୍କ ମଧ୍ୟରେ ଥିବା ରସାୟନ ପାଣିର ସେହି ବୁନ୍ଦା ଆଡକୁ ଆକର୍ଷିତ ହୋଇଥାଏ । ଆଉ ଏହି ରସାୟନକୁ ପରୀକ୍ଷଣ ପାଇଁ ପେନ୍ ଶୋଷି ନେଇଥାଏ ।

ଏହି ପେନକୁ ସ୍ପେକଟ୍ରୋମିଟର ସହ ଯୋଡାଯାଇଛି । ଏହି ସ୍ପେକଟ୍ରୋମିଟର ପ୍ରତ୍ୟେକ ସେକେଣ୍ଡରେ ହଜାର ହଜାର ରସାୟନର ଦ୍ରବ୍ୟମାନ କରିପାରେ । ଏହି ପେନର ସାହାଯ୍ୟରେ ଏକ ପ୍ରକାର ରସାୟନିକ ଫିଙ୍ଗରପ୍ରିଂଟ୍ ତିଆରି ହୋଇଯାଇଥାଏ ଯାହା ଟିସ୍ୟୁରେ କ୍ୟାନ୍ସରେ ଅଛି କି ନାହିଁ ଡାକ୍ତରଙ୍କୁ ଚିହ୍ନିବାରେ ସାହଯ୍ୟ କରିଥାଏ ।

ଡାକ୍ତରମାନଙ୍କୁ ସାଧାରଣ ଟିସ୍ୟୁ ଏବଂ କ୍ୟାନ୍ସର ଥିବା ଟିସ୍ୟୁ ମଧ୍ୟରେ ଅନ୍ତର ଜାଣିବା ସର୍ବଦା ଏକ ଚ୍ୟାଲେଂଜ୍ ହୋଇଥାଏ । ତେବେ ଏହି ପେନ୍ ସାହାଯ୍ୟରେ ଏଭଳି କଷ୍ଟକର କାମ କିଛି ପରିମାଣରେ ସହଜ ହୋଇଯିବ । ରିପୋର୍ଟ ମୂତାବକ ଏହି ପେନର ସବୁଠାରୁ ଭଲ କଥା ହେଉଛି ଏହା ଅତି ସହଜରେ କ୍ୟାନ୍ସର ଟିସ୍ୟୁକୁ ଚିହ୍ନଟ କରିନିଏ । ଏବଂ ଏହାକୁ ବ୍ୟବହାର କରିବା ମଧ୍ୟ ଅତି ସହଜ ।

ଏହି ପେନ୍ ଜରିଆରେ ୨୫୩ ନମୁନା ଉପରେ ପରୀକ୍ଷଣ କରାଯାଇଛି । ଯଦିଓ ପେନର ମୂଲ୍ୟ ବହୁତ କମ୍ କିନ୍ତୁ ଏଥିରେ ବ୍ୟବହୃତ ସ୍ପେକଟ୍ରୋମିଟରର ମୂଲ୍ୟ ଖୁବ୍ ମହଙ୍ଗା । ବର୍ତ୍ତମାନ ଏହି ପେନ୍ ୧.୫ମିଲିମିଟର ପର୍ଯ୍ୟନ୍ତ ଛୋଟ ଟିସ୍ୟୁକୁ ଚିହ୍ନଟ କରିପାରୁଛି । ତେବେ ଆଗାମୀ ଦିନରେ ୦.୬ ମିଲିମିଟର ଛୋଟ ଟିସ୍ୟୁକୁ କିପରି ଚିହ୍ନିପାରିବ ତା ଉପରେ ଆହୁରି କାମ ଚାଲିଛି । ଏହି ଡିଭାଇସ ଆସନ୍ତା ବର୍ଷ ସୁଦ୍ଧା ପ୍ରୟୋଗ କରାଯିବାର ସମ୍ଭାବନା ରହିଛି ।

ସୌଜନ୍ୟ : ବିବିସି ହିନ୍ଦି