ଦାଦନଙ୍କ ଦାନା ହରିଲୁଟ୍ ! ମାତ୍ର ୬ ମାସରେ ୧୫ କୋଟିର ପିଡିଏସ୍ ଘୋଟାଲା

92

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଦାଦନପ୍ରବଣ ଅଂଚଳ ଭାବରେ ପରିଚିତ। ଏଠାକାର ଶ୍ରମିକ ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ପ୍ରତିବର୍ଷ ଯାଇଥାନ୍ତି । ଏଥର ମଧ୍ୟ ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ବର୍ଷକୁ ୬ରୁ ୭ ମାସ ସେମାନେ ବାହାରେ ରହିଥାନ୍ତି । ଏହି ସମୟରେ ଦାଦନ ଶ୍ରମିକଙ୍କ ପାଇଁ ଆସୁଥିବା ପିଡିଏସ ଚାଉଳ ବର୍ଷ ବର୍ଷ ହେଲା ହରିଲୁଟ୍‌ ଚାଲିଛି । ୬ ମାସ ମଧ୍ୟରେ ୧୫ କୋଟି ଟଙ୍କା ଚାଉଳ ଘୋଟାଲା ହୋଇଥିବା ଆକଳନ କରାଯାଇଛି।

୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ଜନସଂଖ୍ୟା ୧୬ଲକ୍ଷ ୪୮ ହଜାର । ହେଲେ, ଜିଲ୍ଲାରେ ବର୍ତ୍ତମାନ ୧୪ଲକ୍ଷ ୭୭ହଜାର ୨୬୭ ଜଣ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ପାଇଛନ୍ତି । କେନ୍ଦ୍ରର ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ୩ ଲକ୍ଷ ୩୮ହଜାର ୨୦୧ ପରିବାର ତଥା ୧୧ ଲକ୍ଷ ୮୭ହଜାର ୪୫୦ ଜଣ ପରିବାର ସଦସ୍ୟ, ରାଜ୍ୟ ଖାଦ୍ୟ ସୁରକ୍ଷାରେ ୪୩ ହଜାର ୩୪୪ ପରିବାରର ୧ଲକ୍ଷ ୩୪ହଜାର ୬୫୭ ସଦସ୍ୟ ଓ ଅ‌େନ୍ତ୍ୟାଦୟ(ଏଏୱାଇ) ଯୋଜନାରେ ୫୨ହଜାର ୭୬୬ ପରିବାରର ୧ଲକ୍ଷ ୫୫ହଜାର ୧୬୦ ସଦସ୍ୟ ସାମିଲ ରହିଛନ୍ତି ।

ମୋଟ ୧୪ଲକ୍ଷ ୭୭ହଜାର ୨୬୭ ଜଣ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି । ଜିଲ୍ଲାର ଦାଦନ ଶ୍ରମିକମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ପାଟଣାଗଡ଼, ତୁରେକେଲା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା, ସଇନ୍ତଲା, ମୁରିବାହାଲ, ଟିଟିଲାଗଡ଼, ଲୋଇସିଂହା, ଦେଓଗାଁ ଆଦି ବ୍ଲକ ଅଂଚଳରୁ ଦେଢ ଲକ୍ଷ ଶ୍ରମିକ ବାହାର ରାଜ୍ୟକୁ ଇଟା ଗଢିବାକୁ ପ୍ରତିବର୍ଷ ଯାଉଛନ୍ତି ବୋଲି ନିକଟରେ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ସର୍ଭେ ରିପୋର୍ଟରୁ ଜଣାଯାଇଛି । ଦାଦନ ଶ୍ରମିକମାନେ ସେପ୍ଟେମ୍ବର, ଅକ୍ଟୋବର ମାସରେ ବାହାର ରାଜ୍ୟକୁ ଯାଆନ୍ତି ଏବଂ ମାର୍ଚ୍ଚ, ଏପ୍ରିଲ ବେଳକୁ ଗାଁକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଗତ ସେପ୍ଟେମ୍ବରରୁ ଫେବ୍ରୁଆରି ଗତ ୬ ମାସରେ ୪୫ ଲକ୍ଷ କେଜି ଚାଉଳ, ଯାହାକି ଦାଦନ ଶ୍ରମିକଙ୍କ ପାଇଁ ଆଲଟମେଣ୍ଟ ହୋଇଥିଲା ତାହା କୁଆଡ଼େ ଗଲା ବୁଝାପଡୁନି ।

ବଲାଙ୍ଗୀର ଯୋଗାଣ ବିଭାଗର ତଥ୍ୟ ଅନୁସାରେ, ପ୍ରତ୍ୟେକ ମାସ ଏନ୍‌ଏଫ୍‌ଏସ୍‌ଏ ଓ ଷ୍ଟେଟ ଫୁଡ ସିକ୍ୟୁରିଟିରେ ହାରାହାରି ୭୮ହଜାର କୁଇଣ୍ଟାଲ ଚାଉଳ ସାରା ଜିଲ୍ଲାର ଗରିବଙ୍କୁ ବଣ୍ଟନ ହେଉଛି । ତେବେ ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଗଲେ ବି ସେହି ଆଲଟମେଣ୍ଟ ପରିସଂଖ୍ୟାନ କମୁନାହିଁ। ବର୍ଷସାରା ସମାନ ଆକାରରେ ଆଲଟମଣ୍ଟେ ହୋଇ ଚାଉଳ ବଣ୍ଟନ ହେଉଛି । ଦାଦନ ଶ୍ରମିକମାନେ ବର୍ତ୍ତମାନ ବାହାର ରାଜ୍ୟରେ ଥିଲେ ବି ତାଙ୍କ ନାଁରେ ଏଠାରେ ଚାଉଳ ଆଲଟମେଣ୍ଟ ହେଉଛି । ଏହାକୁ ଦୃଷ୍ଟିକୁ ଆଣିଲେ ୬ ମାସ ମଧ୍ୟରେ ୧୫ କୋଟି ଟଙ୍କାର ଚାଉଳ ହରିଲୁଟ୍‌ ହୋଇଥିବା ଆକଳନ କରାଯାଇଛି ।

 

ଏନେଇ ବଲାଙ୍ଗୀର ଯୋଗାଣ ଅଧିକାରୀଙ୍କୁ ଙ୍କୁ ପଚରାଯିବାରୁ ପଂଚାୟତରୁ ହିଁ ଚାଉଳ ଆଲଟମେଣ୍ଟ କେତେ ହେବ ତାହା ଆସିଥାଏ । ଜଣେ ଯଦି ଗୋଟିଏ ମାସରେ ନନେଲା, ଅନ୍ୟ ମାସ ବି ନେଇ ପାରିବ ନାହିଁ । ଆଲଟମେଣ୍ଟ ସବୁ ମାସ ପ୍ରାୟ ସମାନ ହେବା କଥାକୁ ସେ ସ୍ୱୀକାର କରିଥିଲେ । ତେବେ ପଂଚାୟତ ସ୍ତରରେ ହିଁ ଯଦି ସମସ୍ୟା ଥିବ ଥାଇପାରେ । ଦାଦନ ଶ୍ରମିକଙ୍କ ନାଁରେ ଚାଉଳ କାର୍ଡ ଅଛି ନା ନାହିଁ ତାହା ବି ଦେଖିବାକୁ ପଡ଼ିବ । ତେବେ, ଏହାର ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି ।