ହିତାଧିକାରୀଙ୍କ ଚାଉଳ ନେଇଛି କିଏ ? ରାସନକାର୍ଡରେ ଚାଉଳ ଉଠିଛି, କିନ୍ତୁ ହିତାଧିକାରୀ ହାତ ଖାଲି

27

କନକ ବ୍ୟୁରୋ : ହିତାଧିକାରୀଙ୍କୁ ଚାଉଳ ମିଳିନି ହେଲେ ରାସନକାର୍ଡରେ ଲେଖା ହୋଇଛି ଚାଉଳ ଉଠିଛି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମାଲକାନଗିରି ଜିଲ୍ଲା ଉପାନ୍ତ ଅଂଚଳର ହିତାଧିକାରୀ ୩ ମାସ ହେଲା ଚାଉଳ ନପାଇ ପଂଚାୟତ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ହାତରେ ଖାଉଟି କାର୍ଡ ଧରି ଉପାନ୍ତ ଅଂଚଳ ହିତାଧିକାରୀଙ୍କ ମେଳି । ପିଡିଏସ ଚାଉଳ ହେରଫେର ପ୍ରତିବାଦରେ ପଂଚାୟତ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମାଲକାନଗିରି କୋରକୁଣ୍ଡା ବ୍ଲକ ନକାମାମୁଡି ପଂଚାୟତର ଆଦିବାସୀ ହିତାଧିକାରୀ । ଗତ ୩ ମାସ ହେବ ୩ଶହରୁ ଅଧିକ କାର୍ଡଧାରୀ ଚାଉଳ ପାଇନଥିବା ବେଳେ କାର୍ଡରେ ଚାଉଳ ଉଠିଥିବା କହି ଫେରାଇ ଦେଇଛନ୍ତି ଡିଲର । ପ୍ରତିମାସରେ ନକାମାମୁଡି ପଂଚାୟତର ୨ହଜାର ୧୪୦ ହିତାଧିକାରୀଙ୍କ ପାଇଁ ୫୯୫ କ୍ୱିଣ୍ଟାଲ ଚାଉଲ ଆସିଥାଏ । ମାର୍ଚ ମାସରେ ୪ଶହ ୫୮ କ୍ୱିଂଟାଲ ଚାଉଳ ପଂଚାୟତରେ ପହଂଚିଥିଲା । ଫଳରେ ସବୁ ହିତାଧିକାରୀଙ୍କୁ ଚାଉଳ ଦିଆଯାଇ ପାରିନଥିବା କହିଛନ୍ତି ପଂଚାୟତ ଅଧିକାରୀ । ଅନ୍ୟପଟେ ସରପଂଚଙ୍କ ଅଭିଯୋଗ ୧୩୫ କ୍ୱିଂଟାଲ ଚାଉଳ ବାଟମାରଣା ହେବାରୁ ପଂଚାୟତରେ ପହଂଚି ପାରିନି ।

ଚାଉଳ ପାଇନଥିବା ହିତାଧିକାରୀ ପଂଚାୟତ ଅଫିସ ଘେରାଉ କରିବା ପରେ ଚାଉଳ ହେରଫେର ଘଟଣା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖରେ ପହଂଚିଥିଲା । କେହି ଭୋକରେ ରହିବେ ନାହିଁ ଏଥିପାଇଁ ସରକାରଙ୍କ ପିଡିଏସ ଯୋଜନା । ହେଲେ ଏ ଯୋଜନା ଯଦି ବାଟରେ ବାଟମାରଣା ହୁଏ ତେବେ ଚିତ୍ରକୋଣ୍ଡା ଭଳି ପରିସ୍ଥିତି ସୃଷ୍ଟି ହୁଏ ।