୨୦୧୯ରେ କଂଗ୍ରେସରୁ କିଏ ପାଇବେ ଟିକେଟ୍, ସ୍ଥିତି ସ୍ପଷ୍ଟ କଲେ ନିରଞ୍ଜନ । “ୱାନ୍ ମ୍ୟାନ ୱାନ୍ ପୋଷ୍ଟ” ବିବାଦରେ ପୂର୍ଣ୍ଣଚ୍ଛେଦ ।

35

କନକ ବ୍ୟୁରୋ: କଂଗ୍ରେସରେ ଲାଗି ରହିଥିବା ‘ୱାନ ମ୍ୟାନ ୱାନ ପୋଷ୍ଟ’ ବିବାଦ ନେଇ ମତ ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ନିରଞ୍ଜନ ଏନେଇ ଟ୍ୱିଟ କରି କହିଛନ୍ତି ଯେ, ଏକ ସମୟରେ ଜଣେ ବ୍ୟକ୍ତି ଦୁଇଟି ପଦ, ପଦବୀରେ ରହିପାରିବେ ନାହିଁ । ଏକ ସମୟରେ ଦଳୀୟ ପଦବୀ ଓ ନିର୍ବାଚିତ ପ୍ରତିନିଧୀ କେହି ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିରଞ୍ଜନ । ପ୍ରଦେଶ କଂଗ୍ରେସର ପିସିସି ସଭାପତି ଦୃଷ୍ଟିରୁ ମୁଁ ସୁନିଶ୍ଚିନ୍ତ କରୁଛି ଯେ, ଆଗାମୀ ୨୦୧୯ ନିର୍ବାଚନରେ ବିଜୟୀ ହେବାର କ୍ଷମତା ରଖୁଥିବା ଯୁବକ, ମହିଳା ଏବଂ ନୂଆ ଚେହେରାଙ୍କୁ ଦଳୀୟ ଟିକେଟ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ନିରଞ୍ଜନ ।

ପ୍ରଦେଶ କଂଗ୍ରେସର “ୱାନ ମ୍ୟାନ ୱାନ ପୋଷ୍ଟ’ର ବିବାଦରେ ପୂର୍ଣ୍ଣଛେଦ ପକାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ବିବାଦ କଂଗ୍ରେସରେ ଭିନ୍ନ ମୋଡ ନେଉଥିବା ବେଳେ ପିସିସ ସଭାପତି ଟ୍ୱିଟ କରି ଏହାର ସ୍ପଷ୍ଟୀରଣ ରଖିଛନ୍ତି । ତେବେ ଗତ ଜୁନ ୯ ତାରିଖରେ ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାରେ କଂଗ୍ରେସ ସ୍ଥିତିକୁ ମଜଭୂତ କରିବା ନେଇ ୨୨ଜଣ ନୂତନ ଜିଲ୍ଲା ସଭାପତିଙ୍କୁ କଂଗ୍ରେସ ହାଇକମାଣ୍ଡଙ୍କ ଜରିଆରେ ଦାୟିତ୍ୱ ଦେଇଛନ୍ତି ନିରଞ୍ଜନ । କଂଗ୍ରେସ ହାଇକମାଣ୍ଡଙ୍କ ଏହି ନୂଆ ଫର୍ମୁଲାକୁ ପିସିସି ସଗାପତିମାନେ ସମର୍ଥନ କରିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଅଗାମୀ ୨୦୧୯ ନିର୍ବାଚନ ପାଇଁ ଦଳକୁ ଏକ ନୂଆ ଟିମ ଭଳି ଗଢ଼ିବାକୁ ଚାହୁଛନ୍ତି ନିରଞ୍ଜନ । ଓଡିଶାରେ ଦିନେ ଦିତୀୟ ଶକ୍ତିଶାଳୀ ବିରୋଧୀ ଭାବେ ଗଣନା ହେଉଥିବା କଂଗ୍ରେସ ବିଗତ ନିର୍ମାଚନରେ ସୋଚନୀୟ ପରାଜୟର ଦ୍ୱାର ଦେଖିଛି ।

ତେବେ ଗତ କାଲି କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ମଧ୍ୟ ନିରଞ୍ଜନଙ୍କ “ୱାନ ମ୍ୟାନ ୱାନ ପୋଷ୍ଟ”କୁ ନେଇ ସମର୍ଥନ ଜଣାଇଥିଲେ । ବିଜୟ ସମ୍ଭାବନା ରଖୁଥିବା ଯୁବକ, ମହିଳା ଓ ନୂଆ ଚେହରାଙ୍କୁ ବିଶେଷ କରି ପ୍ରଧାନ୍ୟ ଦିଆଯିବ । ଯାହା କି ଆଗାମୀ ନିର୍ବାଚନରେ ବିଜୟର ମାପ କାଠି ହେବ ବୋଲି କହିଥିଲେ ଭକ୍ତ । ତେବେ ନିରଞ୍ଜନଙ୍କ ଏହି ଫର୍ମୁଲାକୁ ଖଣ୍ଡନ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି ମୁଁ ଏହି “ୱାନ ମ୍ୟାନ ୱାନ ପୋଷ୍ଟ”କୁ ଖଣ୍ଡନ କରୁଛି କାରଣ- ଏହାଦ୍ୱାରା ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ନବ କିଶୋର ଦାସ, ଭକ୍ତ ଦାସ ଏବଂ ପ୍ରଦୀପ ମାଝୀଙ୍କ ଭଳି କଂଗ୍ରେସର ପୁରୁଖା ନେତା ମାନେ ଆଗାମୀ ୨୦୧୯ ନିର୍ବାଚନରେ ଟିକେଟ ପାଇବାରୁ ବଞ୍ଚିତ ହେବେ । ଏବଂ ଖୋଦ ସୁର ରାଉତରାୟ ମଧ୍ୟ ୨୦୧୯ରେ ଲଢ଼ିବା ପାଇଁ ଭରପୁର ପ୍ରୟାସ କରୁଛନ୍ତି ତେଣୁ ସେ କହିଛନ୍ତି ଯଦି ମୋତେ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନ ମିଳେ ତେବେ ସବୁ ପରିଶ୍ରମ ବ୍ୟର୍ଥ ହୋଇଯିବ । ଦଳର ହିତ ପାଇଁ ସବୁ ସମସ୍ୟାରେ ଲଢ଼ିବା ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି ସୁର ରାଉତରାୟ କହିଛନ୍ତି । ତେବେ ଆଜି ପିସିସି ସଭାପତି “ୱାନ ମ୍ୟାନ ୱାନ ପୋଷ୍ଟ”କୁ ନେଇ ସ୍ପଷ୍ଟୀ କରଣ ଦେବା ପରେ ୨୦୧୯ ନିର୍ବାଚନରେ କଂଗ୍ରେସ ପାଇଁ କିଏ ଲଢ଼ିବା ଆଉ କିଏ ପଦ ପଦବୀକୁ ତ୍ୟାଗ କରିବ ସେନେଇ ଏବେଠୁ ଆରମ୍ଭ ହୋଇଛି ଅଙ୍କ କଶାକଷି ।