ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ନିରଞ୍ଜନଙ୍କ ସଙ୍କଳ୍ପ । କ୍ଷମତାକୁ ଆସିଲେ ବୃଦ୍ଧି ହେବ ଶ୍ରମିକଙ୍କ ମଜୁରୀ, ନାରୀ ସୁରକ୍ଷାକୁ ଗୁରୁତ୍ୱ ।

161

କନକ ବ୍ୟୁରେ: ତମାଣ୍ଡୋ ପରିବର୍ତ୍ତନ ସଂକଳ୍ପ ସମାବେଶରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମାଲୋଚନା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ସମୟରେ ମୋଦି ଓ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କଲେ ନିରଞ୍ଜନ । କହିଲେ, ଓଡ଼ିଶାକୁ ୧୮ ବର୍ଷରେ କାଙ୍ଗାଳ କରିଛନ୍ତି ନବୀନ ସରକାର । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତି ଅଛି ନା ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

ସେହିଭଳି ରାଜ୍ୟର ଭବିଷ୍ୟତ ପାଇଁ ବଡ଼ ମୁଦ୍ଧା ପାଲଟିଥିବା ଜଳ ବିବାଦ ମହାନଦୀକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନିରଞ୍ଜନ । ତୁରନ୍ତ ମହାନଦୀ ସମସ୍ୟାର ସମାଧାନ ନହେଲେ ଓଡ଼ିଶା ମରୁଡ଼ିର ସମ୍ମୁଖୀନ ହେବ । ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶା ଓ ଓଡ଼ିଆ ଜାତିର ସ୍ୱାର୍ଥ ବଡ଼ ନୁହେଁ । ଋଣଛାଡ଼ କଲେ ଚାଷୀଙ୍କ ସମସ୍ୟାର ସମାଧାନ ହେଉନି ବରଂ ଚାଷୀ ଆତ୍ମହତ୍ୟା କରୁଛି । କାହିଁକି ରାଜ୍ୟ ସରକାର ଶୋଇ କି ରହିଛନ୍ତି ? ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ସମାଲୋଚନା କରି ନିରଞ୍ଜନ କହିଛନ୍ତି ଯେ, ଚାଷ ଜମିକୁ ‘ବଳିଆ’ ଠାକୁର ଦେଖନ୍ତି, ‘କାଳିଆ’ ଯୋଜନା କେବଳ ଏକ ଅସ୍ଥାୟୀ ଏବଂ ନିର୍ବାଚନୀ ଥୋପ ପକାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ନବୀନ ବାବୁ ବୋଲି ସମାଲୋଚନା କରିଛନ୍ତି ପିସିସି ସଭାପତି ।

କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କୁ ବର୍ଷ ଯାକ ପାଣି ଯୋଗାଇବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାସହ ବେରୋଜଗାରୀକୁ ମାତ୍ ଦେଇ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ବ୍ୟବସ୍ଥା କରିବ କଂଗ୍ରେସ । ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବା ସହ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଅଧିକ ଗୁୁରୁତ୍ୱ ଦେବ କଂଗ୍ରେସ । କେବଳ ଏତିକି ନୁହେଁ ରାଜ୍ୟରେ ବିଭିନ୍ନ ଜନହିତକାରୀ ଯୋଜନା ଲାଗୁ କରିବ କଂଗ୍ରେସ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Comments are closed.