‘କାଶ୍ମୀର’ ପ୍ରସଙ୍ଗରେ କେନ୍ଦ୍ରକୁ କଡା ସମାଲୋଚନା କଲେ ନିରଞ୍ଜନ । କହିଲେ ୩୭୦ ଉଚ୍ଛେଦ କାଶ୍ମୀରବାସୀଙ୍କ ବିଶ୍ୱାସ ସହ ଖେଳ

487

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ ସାରା ଦେଶ ସମର୍ଥନ କରିଛି । ଓଡିଶାର ଶାସକ ଦଳ ମଧ୍ୟ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତେବେ କାଲି ଦିନ ସାରା ୩୭୦ ଉଚ୍ଛେଦ ଉପରେ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଆଜି ୩୭୦ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଧାରା ୩୭୦ ଉଚ୍ଛେଦ କରିବା କାଶ୍ମୀର ଜନସାଧାରଣଙ୍କ ବିଶ୍ୱାସ ଭାଙ୍ଗିବା ସହ ସମାନ ବୋଲି ନିରଞ୍ଜନ କହିଛନ୍ତି । ତେବେ ୭୦ ବର୍ଷ ତଳେ କେଉଁ ପରିସ୍ଥିତି ଏହି ଆଇନ ଲାଗୁ କରାଯାଇଥିଲା ତାହା ବୁଝିବା ଦରକାର । ହୁଏତ ସେତେବେଳେ ସେ ଆଇନ ଲାଗୁ ହୋଇନଥିଲେ ଆଜି କାଶ୍ମୀର ଥାଆନ୍ତା କି ନାହିଁ ବୋଲି ନିରଞ୍ଜନ କହିଛନ୍ତି । କେନ୍ଦ୍ର ସରକାର ଯଦି କଳେ ବଳେ କୌଶଳେ ପରିସ୍ଥିତିକୁ ସାମ୍ନା କରିବା ସହ କାଶ୍ମୀର ସମସ୍ୟାର ସମାଧାନ କରିପାରିଲେ ତେବେ ବହୁତ୍ ଭଲ କଥା । ଗୋଟେ ଦେଶରେ ଗୋଟେ ସମ୍ବିଧାନ ରହିବା ଭଲ । କିନ୍ତୁ ଏହି ପଦକ୍ଷେପକୁ ବିଛିନ୍ନତାବାଦୀ ଆଉ ଅନ୍ୟ ଦେଶ କେମିତି ଗ୍ରହଣ କରୁଛନ୍ତି ତା ଉପରେ କାଶ୍ମୀରର ସମାଧାନ ନିର୍ଭର କରୁଛି । ଉତ୍ତର-ପୂର୍ବରେ ଅନ୍ୟ ରାଜ୍ୟକୁ ମଧ୍ୟ ସ୍ୱତନ୍ତ୍ର ସୁବିଧା ଦିଆଯାଇଛି । ତାକୁ ମଧ୍ୟ ଉଚ୍ଛେଦ କରନ୍ତୁ । କାଶ୍ମୀର କଣ ଅସୁବିଧା କରୁଥିଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ସେପଟେ କଂଗ୍ରେସ ସମ୍ବିଧାନ ପରିବର୍ତ୍ତନର ପ୍ରକ୍ରିୟାକୁ ବିରୋଧ କରୁଛି । କାରଣ ସମ୍ବିଧାନ ପରିବର୍ତ୍ତନ ପାଇଁ ଲୋକମତ ଦରକାର । ଭାରତର ଅନ୍ୟ ଅଞ୍ଚଳବାସୀଙ୍କ ସମର୍ଥନ ମିଳିବ କିନ୍ତୁ କାଶ୍ମୀରବାସୀଙ୍କ ସମର୍ଥନ ଅଛି ତ ? ଯଦି ସମର୍ଥନ ଅଛି ତେବେ ପାକିସ୍ଥାନ କବଜାରେ ଥିବା ଅଞ୍ଚଳକୁ ମଧ୍ୟ ଅଣାଯାଉ ବୋଲି ନିରଞ୍ଜନ ଦାବି କରିଛନ୍ତି ।