ଘସିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ : ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଲେ ପିସିସି ସଭାପତି

ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବି ଦାଖଲ କଲେ ନାମାଙ୍କନ

302

କନକ ବ୍ୟୁରୋ: ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କରି ସମର୍ଥକଙ୍କ ସହ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଭଣ୍ଡାରିପୋଖରୀ ସମେତ ଘଷିପୁରା ଆସନରୁ ନିରଂଜନ ନିର୍ବାଚନ ଲଢ଼ିବେ । ଆଜି ଘଷିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ସହ ଆସନ୍ତା ୮ ତାରିଖରେ ଭଣ୍ଡାରିପୋଖରୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ।

ପୂର୍ବରୁ ଭଣ୍ଡାରିପୋଖରୀରୁ ଲଢ଼ିବା ନେଇ ସ୍ଥିର ହୋଇଥିବା ବେଳେ ଘଷିପୁରା ଆସନରୁ ଲଢ଼ିବା ପାଇଁ ନିଷ୍ପତି କରିଛନ୍ତି ନିରଂଜନ । ଘଷିପୁରାରୁ ବିଜେଡି ଟିକେଟରେ ଲଢ଼ୁଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଆହ୍ୱାନ ପରେ ପିସିସି ସଭାପତି ଏପରି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।

ସେହିପରି, ଘଷିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଆଜି ନାମାଙ୍କନ ଭରିଛନ୍ତି । ବିରାଟ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।