ସାକ୍ଷାତ କଲେ ଶୀର୍ଷ ନେତା, ତେଜିିଲା ରାଜନୀତି । ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟକୁ ରାଜନୀତି ରଙ୍ଗ ଦେଲେ ପିସିସି ସଭାପତି ।

207

କନକ ବ୍ୟୁରୋ: ଦିଲ୍ଲୀରେ ଭେଟଘାଟ୍ ପରେ ଜୋର ଧରିଲା ରାଜନୀତି । ଦିଲ୍ଲୀ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ଗତକାଲି ଓଡିଶାର ବିକାଶ ଦିଗରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଛି । ନବୀନ-ଧର୍ମେନ୍ଦ୍ରଙ୍କ ସାକ୍ଷାତକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଶାନା କରିଛନ୍ତି । କହିଛନ୍ତି କି, ନିର୍ବାଚନ ବେଳେ ବିଜେପି ବିରୋଧରେ ବର୍ଷୁଥିବା ନବୀନ, ଏବେ ବିଜେପି ଆଡକୁ ଢଳୁଛନ୍ତି, ଆଉ ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ।

ଏପରିକି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି କି, ବିଜେଡିକୁ ଚିଟଫଣ୍ଡ୍ ଭୟ ଘାରିଥିବାରୁ ବିଜେପି ସହ ସମଦୂରତା କଥା କହୁଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର ନିକଟତର ହେଉଛନ୍ତି । ଯଦି ଗଣମାଧ୍ୟମରେ ନବୀନ କହିଥିବା କଥା ସତ ଏବଂ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ରହିଛି ତେବେ ଏଭଳି ସମ୍ପର୍କ ରହିବା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ନିରଞ୍ଜନ ।

ଅନ୍ୟପଟେ ପିସିସି ସଭାପତିଙ୍କ ଏଭଳି ଅଭିଯୋଗ ପରେ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ଜବାବ୍ ରଖିଛନ୍ତି । ଆଉ ଏହି ସାକ୍ଷାତକୁ ସୌଜନ୍ୟମୂଳକ କହିବା ସହିତ ଏହାକୁ ନେଇ ରାଜନୀତି କରାନଯାଉ ବୋଲି ପ୍ରତିକ୍ରିୟାରେ ବିଜେଡି ଓ ବିଜେପି କହିଛନ୍ତି ।