ପିସିସି ସଭାପତି ନିରଞ୍ଜନଙ୍କ ଡବଲ ଆଟାକ୍: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରକୁ କଲେ ଟାର୍ଗେଟ୍ । କହିଲେ, କୁମ୍ଭୀର କାନ୍ଦଣା କାନ୍ଦୁଛି ଶାସକ ଦଳ

23

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଡବଲ ଆଟାକ୍ । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟକୁ ନିରଞ୍ଜନ ଟାର୍ଗେଟ କରିଛନ୍ତି । ପିସିସି ସଭାପତି କହିଛନ୍ତି, ମୋଦି ଓଡିଶା ଆସି ବି ମହାନଦୀ ପ୍ରସଙ୍ଗରେ ପଦୁଟିଏ ବି କହିଲେ ନାହିଁ । ନିଜ ସରକାର ଥିବାରୁ ଛତିଶଗଡ ସରକାରକୁ ମୋଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି । ମହାନଦୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ବି ସେ ଦାୟୀ କରିଛନ୍ତି । କହିଛନ୍ତି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରଥମରୁ ଭୁଲ କରିଛନ୍ତି ।

୨୦୧୫ ପର୍ଯ୍ୟନ୍ତ ଚୁପ୍ ହୋଇ ବସିଥିଲେ । ବନ୍ଧ ବାଡ କିଛି କଲେନି । ଏବେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ନାଟକବାଜି କରୁଛନ୍ତି । ୨୯ଟି ଶିଳ୍ପସଂସ୍ଥା ସେଥିପାଇଁ ମୁହଁଫେରାଇ ଛତିଶଗଡ ଚାଲିଗଲେ । ଏହା ସହିତ ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଖୁବଶୀଘ୍ର ଓଡିଶା ବନ୍ଦ ଡାକରା ଦେବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନିରଞ୍ଜନ । ଏବଂ ୪ତାରିଖରେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଗାଡି ଛାଡିବାକୁ ଆହ୍ୱାନ ଦେଇଛନ୍ତି ।

ସେପଟେ, ମହାନଦୀ ପ୍ରସଙ୍ଗରେ ନିରଞ୍ଜନଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ସାଂସଦ ପ୍ରତାପ ଦେବ କହିଛନ୍ତି କଂଗ୍ରେସର ନେତୃତ୍ୱ ପରିବର୍ତନ ପରେ ମତ ଓ ଚିନ୍ତାଧାରାରେ ପରିବର୍ତନ ହୋଇଛି । ପରକୁ ଦୋଷ ନଦେଇ ନିଜ କାର୍ଯ୍ୟ ନିଜେ କରନ୍ତୁ । ତେବେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ପଦକ୍ଷେପକୁ ସ୍ୱାଗତଯୋଗ୍ୟ କହିଛନ୍ତି ପ୍ରତାପ ଦେବ । ପ୍ରତାପ କହିଛନ୍ତି ବିଜେଡି ଏହି ପ୍ରସଙ୍ଗରେ ପୂର୍ବରୁ ଆନ୍ଦୋଳନ କରୁଛି ।