ଏଆଇସିସି ବୈଠକରେ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ: ଫେବ୍ରୁୟାରୀ ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ କହିଲେ କଂଗ୍ରେସ ଅଧ୍ୟକ୍ଷ

208

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦିଲ୍ଲୀରେ ଚାଲିଛି କଂଗ୍ରେସର ମାରାଥନ ବୈଠକ । ଆଉ କଂଗ୍ରେସର କମ ବ୍ୟାକ ପ୍ଲାନ ନେଇ ଏକ ବଡ ରଣନୀତି ସାମନାକୁ ଆସିଛି । ଦିଲ୍ଲୀ ବୈଠକରେ ଯୋଗଦେବା ପାଇଁ ପହଚିଂଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ତେବେ ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଂଜନ କହିଛନ୍ତି, ଫେବ୍ରୁୟାରୀ ଶେଷ ସୁଦ୍ଧା ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ ।

ତେବେ ନିର୍ବାଚନର ବହୁ ପୂର୍ବରୁ ୫୦ ପ୍ରତିଶତ ପ୍ରାର୍ଥ ତାଲିକା ପ୍ରକାଶ କରାଯିବ ବୋଲି ବାରମ୍ବାର ଦାବି କରି ଆସୁଥିଲେ ପିସିସି ମୁଖିଆ । ହେଲେ ଏହି ଡେଡଲାଇନ ଗଡିଗଡି ଚାଲିଛି । ନିର୍ବାଚନକୁ ଅଳ୍ପ କେଇ ମାସ ବାକି ଥିବା ବେଳେ ଦିଲ୍ଲୀରେ ପ୍ରଥମେ ପ୍ରଭାରୀ ଓ ପରେ ରାଜ୍ୟ ନେତୃତ୍ୱଙ୍କ ସହ ମାରାଥନ ବୈଠକ କରୁଛନ୍ତି ରାହୁଲ ଗାନ୍ଧୀ ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ୨୦୧୯ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ କଡା ନିର୍ଦ୍ଦେଶ । ୩ ଥର ହାରିଥିବା ପ୍ରାର୍ଥୀ ଆଉ କଂଗ୍ରେସ ଟିକେଟରେ ନିର୍ବାଚନ ଳଢିପାରିବେ ନାହିଁ ବୋଲି ରାଜ୍ୟ ପ୍ରଭାରୀମାନଙ୍କୁ ସଫା ଶୁଣାଇଦେଇଛନ୍ତି ଦଳର ଅଧ୍ୟକ୍ଷ । ଯେଉଁମାନେ ଲୋକଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖାନ ହେଉଛନ୍ତି ସେମାନଙ୍କୁ ଆଉ ଟିକେଟ ନଦେବା ପାଇଁ ରାଜ୍ୟ ନେତୃତ୍ୱଙ୍କୁ କୁହାଯାଇଛି ।

ଅର୍ଥାତ ତଳ ସ୍ତରରେ କଂଗ୍ରେସ କିଭଳି ଗ୍ରହଣୀୟ ହୋଇପାରିବ ସେ ଦିଗରେ କାମ କରିବାକୁ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାବାହିନୀ ପତି କହିଛନ୍ତି ଯେ ରାହୁଲଙ୍କ ନିଷ୍ପତିକୁ ସେ ସ୍ୱାଗତ କରୁଛନ୍ତି । ଏପରିକି ତଳ ସ୍ତର ଲୋକଙ୍କ ଚିନ୍ତାଧାରାକୁ ରାହୁଲ ବୁଝିପାରିଥିବା ପ୍ରତିକ୍ରିୟାରେ କହିଛନ୍ତି ତାରା ବାହିନୀପତି ।