ରାହୁଲଙ୍କ ସଭାକୁ ଭଣ୍ଡୁର କରିବାକୁ ଚାଲିଛି ଉଦ୍ୟମ: ନିରଂଜନଙ୍କ ଅଭିଯୋଗ, ସରକାରୀ କାର୍ଯ୍ୟକ୍ରମ ପାଇଁ ସବୁ ବସକୁ ପୁରୀ ପଠାଇଦେଇଛନ୍ତି ରାଜ୍ୟ ସରକାର

198

କନକ ବ୍ୟୁରୋ: ରାହୁଲଙ୍କ ସଭାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଆଜି ଏହି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ରାହୁଲଙ୍କ ଗସ୍ତ ଦିନ ପୁରୀରେ ବି ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସବୁ ବସ ପୁରୀ ପଠାଇବାକୁ । ଏପରିିକି ଚାରିଚକିଆ ଯାନର ଦର ବି ବଢାଇଛନ୍ତି ବୋଲି ନିରଞ୍ଜନ ଅଭିଯୋଗ ଆଣିଛନ୍ତି । ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସଭା ତମାଣ୍ଡୋ ପଡିଆରେ ହେବ । ଏହି ସମୟରେ ପୁରୀରେ ବି କାଳିଆ ସମାବେଶର ଆୟୋଜନ କରିଛି ବିଜେଡି ।

ନବ ଦାସ ଓ ଯୋଗେଶ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ନେତା ନୁହେଁ ଦଳ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ଦୁଇ ଜଣ ଦଳରୁ ଯିବା ପରେ ଏହାର ପ୍ରଭାବ ଦଳ ଉପରେ କିଛି ପ୍ରଭାବ ପଡିବନାହିଁ । ଯୋଗେଶ ସିଂଙ୍କ କ୍ଷେତ୍ରରେ ଶୃଙ୍ଖଳା କମିଟି ନିଷ୍ପତିକୁ ନିରଞ୍ଜନ ଠିକ ନିଷ୍ପତି ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି, ଯୋଗେଶ ବିଜେଡି ସହ ଯୋଗାଯୋଗରେ ଥିବା ସ୍ପଷ୍ଟ ଖବର ଥିଲା ।

ଝାରୁସୁଗୁଡାରେ ବିକଳ୍ପ ପାଇଁ ବହୁତ ଲୋକ ଅଛନ୍ତି । ୧୫ ତାରିଖରେ ନବରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ୧୬ ତାରିଖ ଏଆଇସିସିରୁ ମତମତା ଆସିବା ପୂର୍ବରୁ ନବଙ୍କୁ ବହିଷ୍କାର କରାଯାଇଛି । ଆବଶ୍ୟକ ପଡିଲେ ସାଙ୍ଗଠନିକ ପୁନଃବିନ୍ୟାସ ହେବ ବୋଲି ବି ସଙ୍କେତ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।