୨୦୧୯ ନିର୍ବାଚନ ପାଇଁ କଂଗ୍ରେସର କସରତ । ଓଡିଶା କଂଗ୍ରେସ ପ୍ରଭାରୀଙ୍କ ସୂଚନା,୧୫ ଦିନ ମଧ୍ୟରେ ଘୋଷଣା ହେବ ପ୍ରାର୍ଥୀ ତାଲିକା

47

କନକ ବ୍ୟୁରୋ: ୨୦୧୯ ପାଇଁ ପିସିସି କରୁଛି ମନ୍ଥନ । ଏନେଇ ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ୩ ଜଣ କାର୍ଯ୍ୟକାରୀ ସଭାପତି ଓ ନବ ନିଯୁକ୍ତ ପିସିସି କମିଟି ସଦସ୍ୟ ଯୋଗଦେଇଛନ୍ତି । ଏହି ବୈଠକରେ ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ତେବେ ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଆଗୁଆ ଶେଷ କରିଛି ପିସିସି ।

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଦେଶ କଂଗ୍ରେସ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡିଛି । ଆଜି ବସିଥିବା ପିସିସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତି ହୋଇଛି । ଓଡିଶା କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂ ଏନେଇ କ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯୋଗ୍ୟ ପ୍ରାର୍ଥୀଙ୍କୁ ହିଁ ଟିକେଟ ପ୍ରଦାନ କରାଯିବ । ଯେଉଁଥି ପାଇଁ ଆସନ୍ତାକାଲି ନବଗଠିତ ପ୍ରଦେଶ ଇଲେକସନ କମିଟି (ପିଇସି)ର ବୈଠକ ଆୟୋଜିତ ହେବ । ଯେଉଁଥିରେ ଏକ ରିଜୋଲ୍ୟୁସନ ପାରିତ ହେବ ବୋଲି କହିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ । ତେବେ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଏଥର ନୂଆ ମୁହଁ , ଯୁବକ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ । କଂଗ୍ରେସ ହାଇକମାଣ୍ଡ ରାହୁଲଙ୍କ ନିଷ୍ପତିକ୍ରମେ ଯେଉଁମାନେ ବିଜୟୀ ହେବାର ଶତପ୍ରତିଶତ କ୍ଷମତା ରଖୁଥିବେ ସେମାନଙ୍କୁ ହିଁ ଦଳୀୟ ଟିକେଟ ପ୍ରଦାନ କରାଯିବ ।

ସେହିଭଳି ଆଗାମୀ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ଗରିବୀ, ଚାଷୀ ସମସ୍ୟା, ବେରୋଜଗାରୀ, ରାଫେଲ ଦୁର୍ନୀତିକୁ କଂଗ୍ରେସ ପ୍ରସଙ୍ଗ କରିବ ବୋଲି ସୂଚନା ମିଳିଛି । ଗତ କାଲି ଏନେଇ ସମସ୍ତ ରାଜ୍ୟର ପ୍ରଭାରୀ ଏବଂ ପିସିସି ସଭାପତିଙ୍କୁ ନେଇ ହାଇକମାଣ୍ଡ ରାହୁଲ ଦେଇଥିଲେ ଗୁରୁମନ୍ତ୍ର । ତେବେ ପ୍ରକୃତରେ ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ତାକୁ ନେଇ କଂଗ୍ରେସ ନିଜ ଘର ସଜାଡିବାରେ ସେତେ ତତ୍ପର ହେଉଥିବା ଦେଖିବାକୁ ମିଳୁଛି । ଏନେଇ ନବ ଗଠିତ କଂଗ୍ରେସ କମିଟି ବୈଠକରେ ଆଗୁଆ ସଜବାଜ ହେଉଛି କଂଗ୍ରେସ ।