କଂଗ୍ରେସ ଭବନରେ ବାଉନ୍ସର ପଶିବା ଘଟଣା । ତଦନ୍ତ ପାଇଁ ପିସିସି ଗଠନ କଲା ୩ ଜଣିଆ କମିଟି, ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଇ ଦିଆଯିବ ରିପୋର୍ଟ ।

294

କନକ ବ୍ୟୁରୋ: କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା କମିଟି । ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପିସିସି ତରଫରୁ କୁହାଯାଇଛି ।

ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କିଛି ନେତା କର୍ମୀ ବାହାରେ ଧାରଣା ଦେଇଥିଲେ । ଏପରିକି ପିସିସି ସଭାପତିଙ୍କୁ ପରିବର୍ତନ ପାଇଁ ଦାବି କରିଥିଲେ । ଏହି ସମୟରେ କଂଗ୍ରେସ ଭବନରେ କିଛି ବାଉଁସରଙ୍କୁ ଦେଖିବାକୁ ମିଳିଥିଲା । ଏମାନେ ଧାରଣା ଦେଉଥିବା କର୍ମୀଙ୍କୁ କାର୍ଯ୍ୟାଳୟରୁ ତଡି ଦେଇଥିଲେ ।

ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଂଗ୍ରେସ ଭବନରେ ବାଉନ୍ସର ଘଟଣା ହଟଚମଟ ସୃଷ୍ଟି କରିଥିଲା । ଏପରିକି ରାଜ୍ୟ ରାଜନୀତି କରିଡରେ କଂଗ୍ରେସ ଭବନର ବାଉନ୍ସର ପସିବା ବିବାଦ ଏକ ନୂଆ ଖୋରାକ ଯୋଗାଇଛି । କାହିଁକି ଏବଂ କେଉଁ ପରିସ୍ଥିତିରେ ବାଉନ୍ସର କଂଗ୍ରେସ ଭବନକୁ ପସିଲେ ତାହାର ସତ୍ୟାସତ୍ୟ ଅନୁଧ୍ୟାନ କରିବେ ପିସିସିର ୩ ଜଣିଆ କମିଟି ।