କିଏ ହେବ ପିସିସି ମୁଖିଆ ! ରାହୁଲଙ୍କ ପ୍ରଶ୍ନ ନେତାଙ୍କ ଉତ୍ତର

23

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ଭକ୍ତ ଦାସ କିମ୍ବା ନବ ଦାସ । ଓଡିଶା କଂଗ୍ରେସର ଏହି ଜଣାଶୁଣା ୩ ଚେହେରା ଉପରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନଜର । ଏହି ଆଲୋଚନାରେ ସାମିଲ ଥିବା କଂଗ୍ରେସର ଜଣେ ପୂର୍ବତନ ସାଂସଦ ସୁଚନା ଦେଇ କହିଛନ୍ତି ଯେ ସେମାନଙ୍କୁ ଏହି ତିନି ଜଣଙ୍କ କଥା ପଚାରିଥିଲେ ଏବଂ କିଏ ବର୍ତମାନ ରାଜ୍ୟ କଂଗ୍ରେସକୁ ଭଲ ନେତୃତ୍ୱ ଦେଇପାରିବ ସେ ବିଷୟରେ ଜାଣିବା ପାଇଁ ଚାହିଁଥିଲେ । ଏହା ସହିତ ଦଳ ବିପର୍ଯ୍ୟୟର କାରଣ ଜାଣିବାକୁ ଚେଷ୍ଟା କରିବା ସହ କଣ କଲେ କଂଗ୍ରେସ ପୁଣି ପୁରୁଣା ଲୟକୁ ଫେରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି ।

କିନ୍ତୁ ଦଳ ବିରୋଧୀ ମନ୍ତବ୍ୟ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ ପାଇଥିବା ତିନି ନେତା ତାରା ବାହିନିପତି, ପ୍ରଫୁଲ୍ଲ ମାଝୀ ଓ ଅନନ୍ତ ସେଠୀ ଏପର୍ଯ୍ୟନ୍ତ ରାହୁଲଙ୍କୁ ଭେଟିବାର ସୁଯୋଗ ପାଇନାହାନ୍ତି । ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଯୋଗୁ ଏମାନଙ୍କ ସହ ଆସନ୍ତା କାଲି ଆଲୋଚନା କରିପାରନ୍ତି ହାଇକମାଣ୍ଡ ଏବଂ ଏକ ସପ୍ତାହ ମଧ୍ୟରେ ରାଜ୍ୟ କଂଗ୍ରେସର ମୁଖ୍ୟ କିଏ ହେବ ଏ ନେଇ ଘୋଷଣା କରିପାରନ୍ତି ।