ଦିଲ୍ଲୀ ଗଲା ପିସି ମାମଲା ! ଖୋଳତାଡ କରିବାକୁ ଆସିବ କେନ୍ଦ୍ରୀୟ ଟିମ୍

18

କନକ ବ୍ୟୁରୋ : ଦିଲ୍ଲୀ ଗଲା ପିସି ମାମଲା । ଓଡିଶା ପିସି ମାମଲାର ତଦନ୍ତ କରିବେ କେନ୍ଦ୍ର ସରକାର । ପ୍ରକୃତ ହିତାଧିକାରୀଙ୍କୁ ଛାଡି କେମିତି ବିଜେଡି କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଘର ମିଳିଲା ସେ ନେଇ ହେବ ତଦନ୍ତ । କଟକ ଜିଲ୍ଲା ମାହାଙ୍ଗାରେ ପିଏମଏୱାଇ ଦୁର୍ନୀତି ମାମଲାରେ ଏହି ତଦନ୍ତ କରାଯିବ। ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ପିଏମଏୱାଇ ଯୋଜନାରେ ଘର ଦିଆଯାଇଛି ସେମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ଏ ନେଇ ଏକ ଅଡିଟ୍ ଟିମ୍ ପଠାଇବାକୁ ଚିଫ୍ କଂଟ୍ରୋଲର ଅଫ୍ ଆକାଉଂଟ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ତୋମାର । ଏ ସଂପର୍କରେ ଏସଇସିସି-୨୦୧୧ ଅଗ୍ରାଧିକାର ତାଲିକାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା । ପ୍ରକୃତ ହିତାଧିକାରୀଙ୍କୁ ପିଏମଏୱାଇ ଯୋଜନାରେ ଘର ନଦେଇ ଶାସକ ଦଳର କର୍ମୀ ଓ ସମର୍ଥକଙ୍କୁ ଘର ମିଳିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଆଉ ଏହି ସବୁ ଅଭିଯୋଗ ସଂପର୍କରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ତୋମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।