ବ୍ଲାକମେଲିଂ ଅଭିଯୋଗରେ ପେଟିଏମ ପ୍ରତିଷ୍ଠାତାଙ୍କ ସେକ୍ରେଟାରୀଙ୍କ ସମେତ ୩ ଗିରଫ : ସ୍ୱାମୀ ଓ ଅନ୍ୟ କର୍ମଚାରୀଙ୍କ ସହ ମିଶି ମାଲିକଙ୍କୁ କରୁଥିଲେ ବ୍ଲାକମେଲ୍

30

କନକ ବ୍ୟୁରୋ : ବ୍ଲାକମେଲିଂ ଅଭିଯୋଗରେ ପେଟିଏମ ପ୍ରତିଷ୍ଠାତାଙ୍କ ସେକ୍ରେଟାରୀଙ୍କ ସମେତ ୩ ଗିରଫ । ପେଟିଏମ ମାଲିକଙ୍କୁ ବ୍ଲାକମେଲିଂ କରି ୨୦ କୋଟି ଟଙ୍କା ଦାବି କରୁଥିବା ଅଭିଯୋଗରେ ପେଟିଏମ ସଂସ୍ଥାପକଙ୍କ ସେକ୍ରେଟାରୀ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ଇ-ୱାଲେଟ୍ କମ୍ପାନୀର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ ବ୍ଲାକମେଲ କରୁଥିଲେ ତାଙ୍କ ମହିଳା ସେକ୍ରେଟାରୀ ସୋନିଆ ଧୱନ ଓ ତାଙ୍କ ସ୍ୱାମୀ ରୂପକ ଜୈନ । କଂପାନୀ ଦ୍ୱାରା ଚୋରି କରାଯାଇଥିବା ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟର ଖୁଲାସା କରିବାକୁ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖରଙ୍କୁ ଧମକ ଦେଇ ବ୍ଲାକମେଲ୍ ସୋନିଆ ଓ ତାଙ୍କ ସ୍ୱାମୀ । ଏଥିରେ ଦେବେନ୍ଦ୍ର କୁମାର ନାମକ କମ୍ପାନୀର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ସାମିଲ ଥିଲେ ବୋଲି ସୂଚନା ଦେଇଛି ନୋଏଡା ପୋଲିସ ।

 ତିନି ଜଣ କମ୍ପାନୀକୁ କ୍ଷତି ପହଁଚାଇବା ସହ ଏହାର ଛବି ଖରାପ କରିବାକୁ ଧମକ ଦେଇ ମାଲିକ ବିଜୟ ଶେଖର ଶର୍ମାଙ୍କୁ ବ୍ଲାକମେଲ୍ କରୁଥିଲେ । ଏଥି ପାଇଁ ସେମାନେ ୨୦ କୋଟି ଟଙ୍କା ଦାବି କରୁଥିଲେ । ତେବେ ଏହି ଘଟଣାର ମୁଖ୍ୟ ସୂତ୍ରଧର ଥିଲେ ଇ-ୱାଲେଟ୍ କମ୍ପାନୀର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସେକ୍ରେଟାରୀ ସୋନିଆ ଧୱନ । ଆଉ ସୋନିଆଙ୍କ ସ୍ୱାମୀ ଓ କଂପାନୀର ଅନ୍ୟ ଜଣେ କର୍ମଚାରୀ ତାଙ୍କୁ ଏଥିରେ ସହଯୋଗ କରିଥିଲେ । ଗିରଫ ହୋଇଥିବା ଏହି ତିନିଜଣଙ୍କ ଠାରୁ ଚୋରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୋଲିସ । ତେବେ ପୋଲିସ ସୂଚନା ଅନୁଯାୟୀ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି ।