ପଟ୍ଟାମୁଣ୍ଡାଇ କଲେଜରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ! ଧମକ ଦେବା ସହ ଛାତ୍ର ମାନଙ୍କୁ ମାଡ ମାରୁଥିବା ଅଭିଯୋଗ, କଲେଜରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଳାଇଲେ ଛାତ୍ରଛାତ୍ରୀ

41

କନକ ବ୍ୟୁରୋ : ବାରମ୍ବାର ଅଣଛାତ୍ର ପ୍ରବେଶକୁ ନେଇ ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି । ଏପରିକି ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଳାଇଛନ୍ତି । କଲେଜ ଗେଟରେ ତାଲା ପକାଇ ବନ୍ଦ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଫଳରେ ପାଠ ପଢାରେ ବାଧା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି କଲେଜରେ କିଛି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଣଛାତ୍ର ମାନେ ପଶି ଛାତ୍ର ମାନଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିଲେ । ଏନେଇ ଛାତ୍ର ମାନେ କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ ମଧ୍ୟ ଚିରାଚରିତ ଢଙ୍ଗରେ ବୁଝିଦେବା କହି ଚାଲି ଯାଇଥିଲେ । ତେବେ କଲେଜ କର୍ତ୍ତୃପକ୍ଷ ଏନେଇ କୌଣସି ପଦକ୍ଷେପ ନ ନେବା ଅଭିଯୋଗ କରି ଆଜି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଳାଇଥିଲେ । ତେବେ ପରେ ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷ, ତହସିଲଦାର ଓ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଏନେଇ ପଦକ୍ଷେପ ନେବାକୁ କହିବା ପରେ ଆନ୍ଦୋଳନରୁ ଉଠିଥିଲେ ଛାତ୍ରଛାତ୍ରୀ ।

ଗତ କିଛି ବର୍ଷ ହେଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଅଣଛାତ୍ର ମାନେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି । ଏପରିକି କଲେଜ ପରିସରରେ ଛାତ୍ର ମାନଙ୍କୁ ମାଡ ମାରିବା ସହ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି । ଏହାଛଡା କଲେଜ ପରିସରରେ ଏହି ଅଣଛାତ୍ର ମାନେ ନିଶାର ଆସର ଜମାଉଛନ୍ତି ଓ ମାରଣାସ୍ତ୍ର ଧରି ବୁଲୁଛନ୍ତି ।ଯାହା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଏହାଦ୍ୱାରା ଛାତଛାତ୍ରୀଙ୍କ ପାଠ ପଢ଼ାରେ ମଧ୍ୟ ବାଧା ଦେଖା ଦେଉଛି । ତେଣୁ କଲେଜ ପରିସରରେ ଅଣଛାତ୍ର ପ୍ରବେଶକୁ ବନ୍ଦ କରିବାକୁ ଛାତ୍ରଛାତ୍ରୀ ମାନେ ଦାବି କରୁଛନ୍ତି ।